ଢେଙ୍କାନାଳ: ଜିଲ୍ଲା ନିହଲପ୍ରସାଦ ଥାନା ପୋଲିସ ହେପାଜତରେ ଯୁବକର ମୃତ୍ୟୁ। ମୃତ ଯୁବକ ଜଣକ ସ୍ଥାନୀୟ ରାଇଗଡାର ମଧୁ ସାମଲ ଓ ତାଙ୍କ ବୟସ 40 ବର୍ଷ ବୋଲି ଜଣାପଡିଛି। ପାରିବାରିକ କଳହ ଅଭିଯୋଗରେ ପୋଲିସ ହେପାଜତରେ ଥିବାବେଳେ ତାଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଲୋଡନ ସୃଷ୍ଟି ହୋଇଛି ।
ସୂଚନାନୁଯାୟୀ, ମଧୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଳହ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ମଧୁଙ୍କୁ ଶନିବାର ଅପରାହ୍ନରେ ନିହଲପ୍ରସାଦ ଥାନାକୁ ଆଣିଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ହେପାଜତରେ ମଧୁଙ୍କର ମୃତ୍ୟୁ ହେବାପରେ ପୋଲିସ ତାଙ୍କୁ ଗନ୍ଦିଆ ଡାକ୍ତରଖାନାକୁ ନେଇଥିଲା। ପୋଲିସ ତାଙ୍କ ପରିବାରକୁ ଖବର ଦେବାପରେ ତାଙ୍କ ପରିବାର ପକ୍ଷରୁ କେହି ଆସିନଥିଲେ। ପରେ ନିହଲପ୍ରସାଦ ପୋଲିସ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଡାକ୍ତରଖାନାକୁ ନେଇ ଅତି ତରବରିଆ ଭାବେ ବ୍ୟବଚ୍ଛେଦ କରାଇ ନେଇଥିବା ଜଣାପଡିଛି। ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ ।
ସେପଟେ ପୁଲିସ ପକ୍ଷରୁ ଘଟଣାକୁ ଛପାଇବା ସହ ଭିନ୍ନ ମୋଡ ଦେବାକୁ ଉଦ୍ୟମ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଘଟଣାକୁ ନେଇ ନିହଲପ୍ରସାଦ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଈଟିଭି ଭାରତ