ଢେଙ୍କାନାଳ : ପାଣି ପାଇଁ ରାଜରାସ୍ତାରେ ମହିଳା । ହାଣ୍ଡି ମାଠିଆ ଓ ଗରା ବାଲଟି ଧରି ମହିଳାମାନେ ରାଜପଥ ଅବରୋଧ କରିଥିଲେ। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବାଉଁଶପାଳ ଛକ ନିକଟରେ । ଏନଏଚ-୫୩ ବାଉଁଶପାଳ ଛକ ନିକଟରେ ବାଉଁଶପାଳ ଦେହୁରୀ ସାହି ଗ୍ରାମବାସୀ ରାସ୍ତାରେ ହାଣ୍ଡି ମାଠିଆ ଓ ଗରା ବାଲଟି ରଖି ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ଉଭୟ ପାର୍ଶ୍ବରେ ଶହଶହ ଗାଡି ଅଟକି ରହିଥିଲା।
ସୃୂଚନା ମୁତାବକ କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଦେହୁରୀ ସାହିର ସୋଲାର ପମ୍ପଟି ଦୀର୍ଘଦିନ ହେବ ଅଚଳ ହୋଇପଡିଥିଲା । ତେଣୁ ଲୋକମାନେ ପାନୀୟଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ। ଏନେଇ ବିଭାଗୀୟ ଅଧିକାରୀ ଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣିଲେ ନାହିଁ । ଫଳରେ ଆଜି ଏନଏଚ-୫୩ ବାଉଁଶପାଳ ଛକ ନିକଟରେ ମହିଳାମାନେ ଗରାବାଲ୍ଟି ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ ।
ଖବରପାଇ କାମାକ୍ଷାନଗର ପୋଲିସ, ବିଭାଗୀୟ ଯନ୍ତ୍ରୀ ଓ ସରପଞ୍ଚ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ୫ ଦିନ ଭିତରେ ପାନୀୟଜଳ ସମସ୍ୟା ଦୂର କରିବାର ପ୍ରତିଶୃତି ଦେବା ପରେ ପ୍ରାୟ ୧ଘଣ୍ଟା ପରେ ରାସ୍ତା ରୋକ୍ ହଟିଥିଲା । ଯାତାୟତ ସ୍ବାଭାବିକ ହୋଇଛି ।
ଇଟିଭି ଭାରତ, ଢ଼େଙ୍କାନାଳ