ଢେଙ୍କାନାଳ: ଆନ୍ଦୋଳନ ପାଇଁ ଅଣ୍ଟା ଭିଡୁଛି ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନହେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ । ପ୍ରାଣୀ ସମ୍ପଦର ବିକାଶ ଓ ସୁରକ୍ଷା ପାଇଁ ତଳସ୍ତରରେ କାର୍ଯ୍ୟ କରୁଥିବା ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ଅବହେଳିତ ହୋଇଆସୁଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।
ଏଓଆରିକି ପ୍ରତ୍ୟେକ ଜିଲ୍ଲାରେ ଅଧାରୁ ଅଧିକ ଏହି ପଦବୀରେ କର୍ମଚାରୀ ଖାଲି ରହିଛି । ଜଣେ ଜଣେ କର୍ମଚାରୀ ୪/୫ଟି ଚିକିତ୍ସା କେନ୍ଦ୍ର ସମ୍ଭାଳୁଥିବାବେଳେ ଏହା ସେମାନଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟଦାୟକ ହୋଇପଡିଛି । ଫଳରେ ପ୍ରାଣୀ ସମ୍ପଦ ଚିକିତ୍ସା ଓ ସୁରକ୍ଷା ଦୂରରେ ଥାଉ ଓଲଟା ଅସୁରକ୍ଷିତ ହୋଇପଡିଛନ୍ତି । କହିବାକୁ ଗଲେ ଗାଈଗୋରୁଙ୍କ ସଂଖ୍ୟା ଅହେତୁକ ଭାବେ କମିଥିବା ଜଣାପଡିଛି । ସମୟ ଆସିବ ପିଲାମାନେ ଗାଈ ଗୋରୁଙ୍କୁ କେବଳ ଚିଡିଆଖାନାରେ ଦେଖିବାକୁ ପାଇବେ । ସେପରି ପରିସ୍ଥିତି ଖୁବଶୀଘ୍ର ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ ।
ଏପରିସ୍ଥଳେ ବାରମ୍ବାର ଆପତ୍ତି ଅଭିଯୋଗ ସତ୍ତ୍ୱେ କେବଳ ସରକାରଙ୍କ ପ୍ରତିଶ୍ରୁତିରେ ଅଟକି ରହିଛି ସେମାନଙ୍କ ସମସ୍ୟାର ସମାଧାନ । ଫଳରେ ରାଜ୍ୟବ୍ୟାପୀ ଏହି ପ୍ରାଣୀ ଚିକତ୍ସା ବୈଷୟିକ କର୍ମଚାରୀମାନଙ୍କ ପୁଞ୍ଜିଭୂତ ଅସନ୍ତୋଷ ଏବେ ଏକ ଆନ୍ଦୋଳନର ରୂପ ନେବାକୁ ଯାଉଛି । ରାଜ୍ୟବ୍ୟାପୀ ଏହି କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଅଣ୍ଟା ଭିଡୁଥିବା କହିଛନ୍ତି ବୈଷୟିକ କର୍ମଚାରୀ ସଂଘ ସଭାପତି ।
ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସୋମବାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରିଛନ୍ତି ।
ଖାଲି ପଡିଥିବା ପଦବୀ ପାଇଁ ନିଯୁକ୍ତି ନିୟମର ସଂଶୋଧନ, ଦରମାର ଅସଙ୍ଗତ ଦୂରୀକରଣ, କାର୍ଡ ଭିର୍ତ୍ତିକ ପୁନଃଗଠନ ଓ ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମାଧାରୀଙ୍କୁ ସଠିକ ମାନ୍ୟତା ଆଦି ପାଞ୍ଚ ଦଫା ଦାବି କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ସମୟରେ ବାଧ୍ୟ ହୋଇ ରାଜ୍ୟବ୍ୟାପୀ କାର୍ଯ୍ୟ ଛାଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇ ଦେଇଛନ୍ତି ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ।
ଇଟିଭି ଭାରତ, ଢେଙ୍କାନାଳ