ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗ୍ରାମ ଗୁଳିକାଣ୍ଡ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ପୁଣି ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ମୁଖ୍ୟ ଅଭିଯୁକ୍ତ ନୃପତି ନାୟକ ଓ ନୃପତିର ବଡଭାଇ ନିରଞ୍ଜନ ନାୟକ ବୋଲି ଜଣାପଡିଛି । ବିଶେଷ ସୂତ୍ରରୁ ଖବର ପାଇ ଉଭୟଙ୍କୁ ସଦର ଥାନା ଅନ୍ତର୍ଗତ ନମି ଚିରା ଗ୍ରାମର ତାଙ୍କର ଜଣେ ସମ୍ପର୍କୀୟ ଘରୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ପରେ ନୃପତି ଗୁଳିକାଣ୍ଡ ଘଟାଇବା ପରେ ହତ୍ୟାରେ ବ୍ୟବହୃତ ଦେଶୀ ବନ୍ଧୁକକୁ ତାଙ୍କ ଗ୍ରାମ ନିକଟରେ ଫୋପାଡିଥିଲା । ଫଳରେ ନୃପତି ଠାରୁ ସୂଚନା ପାଇ ବନ୍ଧୁକକୁ ଠାବ କରି ପୋଲିସ ଜବତ କରିଛି ।
ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ୬ରୁ ଉର୍ଦ୍ଧ୍ବ ଅଭିଯୁକ୍ତ ଥିବାବେଳେ ହତ୍ୟାକାଣ୍ଡ ପର ଦିନ ମୁଖ୍ୟ ଅଭିଯୁକ୍ତ ନୃପତିର ବାପା ଅଭିମନ୍ୟୁ ନାୟକ ଓ ଜଣେ ସମ୍ପର୍କୀୟ ଭାଇ ବେନୁ ନାୟକଙ୍କୁ ପୋଲିସ ଗିରଫ କରିଥିଲା । ଫଳରେ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ୬ ଜଣଙ୍କ ମଧ୍ୟରୁ ଗିରଫ ସଂଖ୍ୟା ୪ରେ ପହଞ୍ଚିଛି ।
ସୂଚନା ମୁତାବକ, ଗତ ୧୭ ତାରିଖ ସକାଳେ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗ୍ରାମରେ ଦଳେଇ ନାୟକଙ୍କୁ ନୃପତି ନାୟକ ଓ ତାଙ୍କ ପରିବାର ମିଶି ଗୁଳିକରି ହତ୍ୟା କରିଥିଲେ । ପୂର୍ବରୁ ନୃପତିର ପରିବାର ଓ ମୃତ ଦଳେଇ ନାୟକଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା । ମାତ୍ର କନ୍ଧପାଳ ଗ୍ରାମରେ ଏକ ପୋଖରୀ ଖୋଳାରେ ଗାଁ ଦାଣ୍ଡରେ ଟ୍ରାକ୍ଟର ଓ ଜେସିବି ଚଳାଚଳକୁ ନେଇ ବିବାଦ ଉଗ୍ର ହୋଇ ଗୁଳିମାଡ଼ ହୋଇଥିଲା । ପରେ ମଧ୍ୟ ମୃତ ଦଳେଇ ନାୟକଙ୍କ ପରିବାର ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ନୃପତିଙ୍କ ଭାଇ ଅନ୍ୟ ଅଭିଯୁକ୍ତ ନିରଞ୍ଜନ ନାୟକଙ୍କ ଘରପୋଡି ସାଙ୍ଗକୁ ନୃପତି ନାୟକଙ୍କ ପତ୍ନୀ ଓ ଦୁଇବର୍ଷର ଶିଶୁ ଗୁରୁତର ହୋଇ କଟକ ଏସ ସିବିରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଫଳରେ ସଦର ଥାନାରେ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜ୍ଜୁ କରାଯାଇଛି । ପାଲଟା ଆକ୍ରମଣ ମାମଲାରେ ପୋଲିସ କାହାରିକୁ ଗିରଫ କରିନାହିଁ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ