ଢେଙ୍କାନାଳ: ପରଜଙ୍ଗ ଥାନା କୁଆଳୁ ଗ୍ରାମରେ ଅଭାବନୀୟ ଘଟଣା । ବଜ୍ରପାତ ଘଟି ୨ ଚାଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଦୁଇ ମୃତକ ହେଉଛନ୍ତି ବିଭୁତି ନାୟକ ଓ ତୁମୁସିଙ୍ଗା ଥାନା ରାଏନରସିଂହପୁର ଗ୍ରାମର ମହେଶ୍ବର ସେଠି । ସୂଚନା ଅନୁଯାୟୀ, ବିଭୁତି ଆଜି କୁଆଳୁ ଗାଁର ଦୁଲୁକପଶି ଅଞ୍ଚଳ ଚାଷ ଜମିକୁ ଚାଷ କରିବା ପାଇଁ ଯାଇଥିଲେ ।
ଏହି ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାରୁ ଚାଷ ଜମିରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଦେଖି ପାଖ ଜମିରେ ଚାଷ କରୁଥିବା ଲୋକ ପରିବାରକୁ ଖବର ଦେବା ସହ ସଙ୍ଗେ ସଙ୍ଗେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟପଟେ ମହେଶ୍ବର ଗୋଦରିବିଲି ସ୍ଥିତ ନିଜ ଜମିକୁ ଚାଷ କରିବାକୁ ଯାଇଥିବାବେଳେ, ବଜ୍ରାପାତର ଶିକାର ହୋଇଥିଲେ । ତୁରନ୍ତ ତାଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।