ଢେଙ୍କାନାଳ: ସପ୍ତମ ଦିନରେ ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉତ୍ସବ । ମା' ଲକ୍ଷ୍ମୀଙ୍କ ପ୍ରିୟ ଗୁରୁବାର ଅବସରରେ ପ୍ରତ୍ୟେକ ପୂଜା ମଣ୍ଡପରେ ମା'ଙ୍କ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଛି । ଏସବୁ ମଧ୍ୟରେ ଢେଙ୍କାନାଳ ଲକ୍ଷ୍ମୀପୂଜାର ଐତିହ୍ୟ ଓ ପରମ୍ପରାର ପ୍ରତୀକ କୁହାଯାଉଥିବା ଲକ୍ଷ୍ମୀ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ଗୁରୁବାର ପୂଜାର୍ଚ୍ଚନା ବେଶ ନିଆରା ।
ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ପୂଜା ମାହୋଲ ସମ୍ପୂର୍ଣ୍ଣ ଫିକା ପଡିଥିବାବେଳେ ତଥାପି ଲକ୍ଷ୍ମୀ ବଜାର ପୂଜା ପ୍ରତିଷ୍ଠାନ ନୀତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରିଛନ୍ତି ମଣ୍ଡପ କର୍ମକର୍ତ୍ତା । ସବୁ ବର୍ଷ ଗୁରୁବାର ଏହି ପୂଜା ମଣ୍ଡପରେ ପଦ୍ମପତ୍ର ଓ କୁଡୁଆରେ ଦହି ପଖାଳ ପ୍ରସାଦ ସେବନରେ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦିଅନ୍ତି । ମାତ୍ର ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ଏହି ପ୍ରସାଦରୁ ବଞ୍ଚିତ ହୋଇଛନ୍ତି । ତଥାପି ଏହି ମଣ୍ଡପରେ ମା'ଙ୍କ ପାଖରେ ଆଜିର ଦିନରେ ଦହି ଅନ୍ନ, ସ୍ୱତନ୍ତ୍ର ମଣ୍ଡା ପିଠା, କାକେରା ଗଜା ଆଦି ପ୍ରିୟ ଭୋଗ ଲାଗି କରାଯାଇଛି ବୋଲି ପୂଜା କମିଟିର ସମ୍ପାଦକ ପ୍ରକାଶ କରିଛନ୍ତି । ଏହା ସହ ସ୍ୱତନ୍ତ୍ର ଭାବେ ବଢି ଭୋର ସମୟରୁ ମା'ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି ।
ଶ୍ରଦ୍ଧାଳୁମାନେ ମା'ଙ୍କ ମଣ୍ଡପରେ ମା' ଙ୍କ ପ୍ରିୟ ଝୋଟି ପକାଇଥିବା ଦେଖାଯାଇଛି । ମା'ଙ୍କୁ ସିଧାସଳଖ ଦର୍ଶନ ନ କରି ପାରିଥିଲେ ମଧ୍ୟ ପରଦା ବାହାରୁ ମା'ଙ୍କୁ ସ୍ମରଣ କରି ନିଜର ତଥା ନିଜ ପରିବାର ସହ ସମାଜର କଲ୍ୟାଣ ପାଇଁ ଶୁଭ ମନାସିଛନ୍ତି ଶ୍ରଦ୍ଧାଳୁ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ