ଢେଙ୍କାନାଳ: ମହିମା ଗାଦି ଯୋରନ୍ଦାରେ ଚଳିତ ବର୍ଷ ମହିମା ସାଧୁ ମାନଙ୍କ ମଧ୍ୟରେ ସୀମିତ ରହିଲା ମେଳା । ଚଳିତ ବର୍ଷ କୋରନା କଟକଣା ମଧ୍ୟରେ ପ୍ରସିଦ୍ଧ ମହିମାଗାଦି ଯୋରନ୍ଦା ମାଘ ମେଳା ଅନୁଷ୍ଠିତ ହୋଇଛି । ଗୁରୁବାର ଠାରୁ ମହିମା ଧର୍ମର ଏହି ବାର୍ଷିକ ଉତ୍ସବ ମାଘମେଳା ଆରମ୍ଭ ହୋଇ ତିନିଦିନ ବ୍ୟାପୀ ଚାଲିବ । ତେବେ କୋରୋନା ସଂକ୍ରମଣ ଆଶଙ୍କାରେ ଚଳିତ ବର୍ଷ ଜିଲ୍ଲା ବାହାର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ମହିମା ଗାଦି ବାରଣ କରାଯାଇଛି ।
ମହିମା ଗାଦିର ସାଧୁ ମାନଙ୍କ କୋଭିଡ ଟେଷ୍ଟ କରାଯାଇ ମୁଖ୍ୟ ଗାଦି ମନ୍ଦିରକୁ ଛଡ଼ାଯାଇଛି । ତେବେ ଗାଦି ମନ୍ଦିର ଭିତରକୁ ଯିବାକୁ ହେଲେ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି । ଫଳରେ ଚଳିତ ବର୍ଷ ଦିନ ତମାମ ମହିମା ଗାଦି ଅଞ୍ଚଳ ଖାଁ ଖାଁ ପରିବେଶ ରହିଥିବା ବେଳେ ସନ୍ଧ୍ୟା ପରେ କିଛି ସ୍ଥାନୀୟ ମହିମା ଭକ୍ତଙ୍କର ଆଗମନ ଘଟିଛି ।
ତେବେ ପରମ୍ପରା ମୁତାବକ ସନ୍ଧ୍ୟା ପରଠାରୁ ମହିମା ସାଧୁ ମାନେ ଗାଦି ମନ୍ଦିର ଚାରି ଦ୍ବାରରେ ଝାଡ଼ ଦୀପ ପ୍ରଜ୍ବଳନ କରିଛନ୍ତି । ଧ୍ବନୀ ସାଙ୍ଗକୁ ଝାଡ଼ ଦୀପରେ ଜଗତର କଲ୍ୟାଣ ପାଇଁ ମହିମା ସାଧୁ ମାନେ ମହଣ ମହଣ ଘୃତାହୁତି ସାଙ୍ଗକୁ ଅଲେଖ ମହିମା ଧ୍ବନୀରେ ସମଗ୍ର ମହିମା ଗାଦି ପ୍ରକମ୍ପିତ ହୋଇଉଠିଛି । ଏପଟେ ଶାନ୍ତି ଶୃଙ୍ଖଳା ମେଳା ସୁପରିଚାଳନା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ ପୁଲିସ ବଳ ସହ ୫୫ ଜଣ ପୁଲିସ ଅଧିକାରୀ ନିୟୋଜିତ ଥିବା ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ