ଢେଙ୍କାନାଳ: ନିଶାମୁକ୍ତି କେନ୍ଦ୍ରରେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ । ପିଟି ପିଟି ମାରି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଆମ୍ବ ବାହାଳି ଗ୍ରାମ ନିକଟରେ ଥିବା ଏକ ନିଶା ମୁକ୍ତି କେନ୍ଦ୍ରରେ । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ମଦ୍ୟପାନ କରି ଅବାଟକୁ ଯାଉଥିବା ସ୍ବାମୀକୁ ବାଟକୁ ଆଣିବା ପାଇଁ ନିଶାମୁକ୍ତି ଥଇଥାନ କେନ୍ଦ୍ରରେ ଭର୍ତ୍ତି କରିଥିଲେ ପତ୍ନୀ । ନିଜ ସ୍ବାମୀର ଜୀବନ ବଞ୍ଚାଇବା ପାଇଁ ନିଶାମୁକ୍ତି କେନ୍ଦ୍ରକୁ ଛାଡି ଘରକୁ ନୂଆ ଜୀବନ ନେଇ ଫେରିବା ବାଟ ଚାହିଁଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା, ନିଶାମୁକ୍ତି କେନ୍ଦ୍ରରୁ ସ୍ବାମୀ ଫେରିବା ବଦଳରେ ଫେରିଲା ତାଙ୍କର ମୃତଦେହ । ମୃତକ ଜଣକ ହେଉଛନ୍ତି ସଞ୍ଜୟ ପୃଷ୍ଟି । ସେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଓଦାପଡା ଗ୍ରାମର ହୋଇଥିବା ଜଣାପଡ଼ିଛି । ବୁଧବାର ନିଶାମୁକ୍ତି କେନ୍ଦ୍ରରୁ ସଞ୍ଜୟ ପୃଷ୍ଟିଙ୍କ ମୃତଦେହ ଠାବ କରିଛି ପୋଲିସ । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।
ଚେତନା ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପରିଚାଳନା କରାଯାଉଥିବା ଏହି ଚେତନା ସହାୟ ନିଶା ମୁକ୍ତି କେନ୍ଦ୍ରରେ ମଦ୍ୟପାନ ଛଡାଇବା ପାଇଁ ସଞ୍ଜୟଙ୍କୁ ପରିବାର ଲୋକେ ଛାଡ଼ିଥିଲେ । ଗତ ଫେବୃଆରୀ ୧୧ ତାରିଖରେ ସଞ୍ଜୟଙ୍କୁ ତାଙ୍କ ପତ୍ନୀ ଓ ସମ୍ପର୍କୀୟ ଆଣି ଏଠାରେ ଛାଡିଥିଲେ । ସେ ମଧ୍ୟ ସେଠାରେ ଭଲରେ ଥିଲେ । ଏପରିକି ଗତ ମଙ୍ଗଳବାର ସ୍ବାମୀଙ୍କ ସହ ପତ୍ନୀ ନମିତା କଥା ହୋଇଥିଲେ । ମାତ୍ର ସକାଳୁ ଅଚାନକ ତାଙ୍କର ମୃତ୍ୟୁ ଖବର ଶୁଣିଲେ ।
ଏହି ଖବର ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା ସହ ସ୍ବାମୀଙ୍କୁ ପିଟିପିଟି ହତ୍ୟା କରିଥିବା ପତ୍ନୀ ଅଭିଯୋଗ କରିଛନ୍ତି । ଏନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରି କହିଛନ୍ତି, ମୃତ୍ୟୁ ଖବର ଶୁଣି ସେଠାରେ ପହଞ୍ଚିବା ପରେ ତାଙ୍କ ଶରୀରରୁ ରକ୍ତ ବାହାରୁଥିଲା । ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି । ନିଶାମୁକ୍ତି କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ପଚାରିଲେ ସେମାନେ କୌଣସି ଉତ୍ତର ଦେଉନାହାନ୍ତି ।" ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ଗଁନ୍ଦିଆ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଅନ୍ୟପଟେ ଏହି ଘଟଣାର ତଦନ୍ତ କରୁଛି ଗଁନ୍ଦିଆ ପୋଲିସ ।
ଇଟିଭି ଭାରତ, ଢେଙ୍କାନାଳ