ଢେଙ୍କାନାଳ: ଆଗକୁ ଆସୁଛି ଖରା ଦିନ। ହେଲେ ଏବେ ଠାରୁ ଢେଙ୍କାନାଳ ଜିଲ୍ଲାରେ ପାଣି ସମସ୍ୟା ମୁଣ୍ଡଟେକିଲାଣି । ଯାହାକୁ ନେଇ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ସରକାରଙ୍କ ପକ୍ଷରୁ ପିଇବା ପାଇଁ ପାଣି ଯୋଗାଇ ଦିଆଯାଉନାହିଁ। ଏପଟେ ରାସ୍ତାର ମଧ୍ୟ ମରାମତି ହେଉନାହିଁ। ଏହାର ପ୍ରତିବାଦରେ ସୋମବାର ଢେଙ୍କାନାଳ ସହର ଉପକଣ୍ଠସ୍ଥ ବନମାଳୀପ୍ରସାଦର ବାଉତିଖୋଲ ବସ୍ତି ବାସିନ୍ଦା ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଥିଲେ।
ସେମାନ ହାତରେ ଗରା ଓ ବାଲଟି ଧରି ଢେଙ୍କାନାଳ-ଭାପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଥିଲା । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ଟାଉନ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଏହି ଆନ୍ଦୋଳନ ହଟିଥିବା ଜଣାପଡିଛି।
ବାଉତିଖୋଲ ସାହି ଦେଇ ଅନ୍ୟ ଆଡେ ପାଇପ ବିଛାଇ ଜଳ ଯୋଗାଣ ଚାଲିଛି। ମାତ୍ର ଏହି ବସ୍ତିବାସିନ୍ଦାଙ୍କ ପାଇଁ ପାଇପ୍ ପାଣି ଯୋଗାଇ ଦିଆଯାଉନାହିଁ। ଏପରିକି ଏହି ବସ୍ତିର ରାସ୍ତାକୁ ମଧ୍ୟ ମରାମତି କରାଯାଉନାହିଁ। ଏହାର ପ୍ରତିବାଦରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ନେତୃତ୍ବରେ ଏହି ରାସ୍ତାରୋକ କରାଯିବା ସହ ଆନ୍ଦୋଳନ କରାଯାଇଥିଲା।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ