ଢେଙ୍କାନାଳ: ପୂର୍ବ ଶତ୍ରୁତାରୁ ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା । ମୃତକ ହେଲେ କାମାକ୍ଷାନଗର ବାରୁଆଁ(କ)ର ସମିତି ସଭ୍ୟ ଦୀପକ ମାହୁନ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଘରେ ଥିବା ସମୟରେ ଦୀପକଙ୍କ ନିକଟକୁ ଏକ ଫୋନ କଲ ଆସିଥିଲା । ପରେ ଇଛବତୀପୁର ତାଙ୍କ ଫାର୍ମ ହାଉସକୁ ଯାଇ ଫେରିନଥିଲେ । ହେଲେ ଆଜି ଭୋର ସମୟରେ ତାଙ୍କୁ ଅଚେତ ଅବସ୍ଥାରେ ଜାମୁଝରା ଛକରେ ଠାବ କରାଯାଇଥିଲା । ପରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଦୀପକଙ୍କ ବାପା ସରପଞ୍ଚ ଥିଲେ । ତାଙ୍କ ପତ୍ନୀ ଗତ ଦୁଇଥର ହେଲା ସରପଞ୍ଚ ରହିଥିବା ବେଳେ ସେ ନିଜେ ସମିତି ସଭ୍ୟ ଥିଲେ । ଏହାସହ ଦୀପକ ବାଲି ଘାଟ ନିଲାମୀ କାର୍ଯ୍ୟ ମଧ୍ୟ କରୁଥିଲେ । ଫଳରେ ପୂର୍ବ ଶତ୍ରୁତା ଓ ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଛି ବୋଲି ତାଙ୍କ ପୁଅ ପ୍ରକାଶ କରିଛନ୍ତି । ତେବେ ଘଟଣା ସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ