ଢେଙ୍କାନାଳ: ମେଡିକାଲ ସାମ୍ନାରେ ଗଣଧାରଣା । ଢେଙ୍କାନାଳ ଜିଲ୍ଲା ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ସୁରକ୍ଷାକର୍ମୀ ଆହତ ଘଟଣାକୁ ନେଇ ମେଡିକାଲ ସାମ୍ନାରେ ପାରାମେଡିକାଲ କର୍ମଚାରୀ ଓ ସୁରକ୍ଷାକର୍ମୀ ଗଣଧାରଣା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବୁଧବାର ରାତିରେ ଜଣେ ଆହତ ବ୍ୟକ୍ତିଙ୍କୁ କିଛି ଯୁବକ ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଉଲଗ୍ନ ହୋଇ ମେଡିକାଲ ପରିସରରେ ପରିସ୍ରା କରୁଥିଲେ । ବାହାରେ ପରିସ୍ରା ନକରି ମେଡିକାଲ ଶୌଚାଳୟରେ ପରିସ୍ରା କରିବାକୁ ସୁରକ୍ଷାକର୍ମୀ ପବିତ୍ର ନାୟକ ଯୁବକ ଜଣଙ୍କୁ କହିଥିଲେ । ମାତ୍ର ଯୁବକମାନେ ପବିତ୍ର ନାୟକଙ୍କୁ ମାର ପିଟ୍ କରି ତାଙ୍କ ମୁଣ୍ଡ ଫଟାଇଦେଇଥିଲେ । ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି ।

ଯାହାକୁ ନେଇ ହିନ୍ଦୋଳ ଉପଖଣ୍ଡର ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ସ୍ଥିତି ଉପୁଜିଛି । ଡାକ୍ତରଖାନାର ପାରା ମେଡ଼ିକାଲ କର୍ମଚାରୀ ଓ ସୁରକ୍ଷା କର୍ମୀମାନେ କାର୍ଯ୍ୟବନ୍ଦ କରିଛନ୍ତି । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଏହି କର୍ମଚାରୀମାନେ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି ।
ଘଟଣାସ୍ଥଳକୁ ବାଲିମି ଥାନା ପୋଲିସ ଓ ହିନ୍ଦୋଳ ଉପଜିଲ୍ଲାପାଳ ପହଞ୍ଚି କର୍ମଚାରୀମାନଙ୍କୁ ବୁଝାସୁଝା ଜାରି ରଖିଛନ୍ତି । ତେବେ ଉନ୍ମତ୍ତକାଣ୍ଡ ଘଟାଇଥିବା ଯୁବକମାନଙ୍କ ମଧ୍ୟରୁ ଜଣଙ୍କୁ ବାଲିମି ପୋଲିସ ଅଟକ ରଖିଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ