ଢେଙ୍କାନାଳ: ଭୟଙ୍କର କରୋନା ଭାଇରସର ମୁକାବିଲା ପାଇଁ ସାରା ଭାରତ ବର୍ଷ ତାଲା ବନ୍ଦ ବା ଲକଡାଉନ ଘୋଷଣା କରାଯାଇଛି । ଫଳରେ ଢେଙ୍କାନାଳ ଜିଲ୍ଲାରେ ପ୍ରଶାସନ ଓ ପୋଲିସର କଡା କଟକଣା ଯୋଗୁଁ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଛି । ବସ ଓ ଟ୍ରେନ ଚଳାଚଳ ବନ୍ଦ ରହିଛି । ଫଳରେ ସୁଦୁର ମହାରାଷ୍ଟ୍ରର ନାଗପୁରରୁ ଢେଙ୍କାନାଳକୁ ଆସି କିଛି ଅଣଓଡିଆ ବୁଲାବିକାଳି ଏହି କଟକଣା ଯୋଗୁଁ ଫସି ରହିଥିବା ଦେଖାଯାଇଛି । ଏପରିକି ଢେଙ୍କାନାଳ ମିନିଷ୍ଟାଡିୟମ ଠାରେ ୨୫ଜଣ ବୁଲା ବିକାଳି ସେମାନଙ୍କ କୁନିକୁନି ପିଲାମାନଙ୍କୁ ନେଇ ହନ୍ତସନ୍ତ ହେଉଥିବା ପ୍ରକାଶ କରିଛନ୍ତି ।
ତେବେ ଏମାନଙ୍କ ପେଟକୁ ଦାନା ମୁଠାଏ ପାଇଁ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ଉଦ୍ୟମରେ କିଛି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇଛନ୍ତି । ଆଜି ଜିଲ୍ଲା ସାମ୍ବାଦିକ ସଂଘ ଉଦ୍ୟମରେ ସଚେତନ ନାଗରିକ ତଥା ସମାଜସେବୀ ପ୍ରଦିପ ମହାନ୍ତି ଓ ଭରତ ଦାସ ଏହି ଅଣ ଓଡିଶା ମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଏହି ଅବସରରେ ଚାଉଳ ଓ ଡାଲି ସହ କୁନିକୁନି ପିଲାଙ୍କ ରନ୍ଧାଖାଦ୍ୟ ମଧ୍ୟ ପ୍ରଦାନ କରିଛନ୍ତି । ତେବେ ସରକାରଙ୍କ ଘୋଷଣା ମୁତାବକ ଏମାନଙ୍କ ପରି ଫସି ରହିଥିବା ବୁଲା ବକାଳୀଙ୍କ ପ୍ରତି ପ୍ରଶାସନ ଦୃଷ୍ଟିଆକର୍ଷଣ ଜରୁରୀ ହୋଇ ପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ