ଢେଙ୍କାନାଳ: କାମାକ୍ଷାନଗରରେ ଦନ୍ତା ହାତୀର ତାଣ୍ଡବ । ମହୁଲଡଗର ଗ୍ରାମର ଘର ଭାଙ୍ଗିବା ସହ ଜଣେ ୪ ବର୍ଷର ଶିଶୁକୁ ଦଳିମାରିଦେଲା ହାତୀ । ଅଳ୍ପକେ ବର୍ତ୍ତିଲେ ଦମ୍ପତି । ପଶ୍ଚିମାଞ୍ଚଳ ବନାଞ୍ଚଳର ମହୁଲ ଡଗର ଗ୍ରାମରେ ପଶି ହାତୀଟି ଏପରି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ମୃତକ ଶିଶୁ ଜଣଙ୍କ ହେଉଛନ୍ତି ରସାନନ୍ଦ ଯେରେଇଙ୍କ ୪ବର୍ଷର ଶିଶୁପୂତ୍ର ଋଷି ଯେରେଇ।
ସୂଚନା ମୁତାବକ, ଗତ ରାତିରେ ପରିବାରର ସମସ୍ତେ ଖାଇସାରି ଘର ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତି ସମୟରେ ଏକ ଦନ୍ତା ହାତୀ ଆସି ଘର ଭାଙ୍ଗିଥିବା ବେଳେ ଭୟରେ ଶିଶୁପୁତ୍ରକୁ ଛାଡି ବାପା ଓ ମାଆ ଦୌଡି ପଳାଇଥିଲେ । ଘଟଣାସ୍ଥଳରେ ହାତୀଟି ଶିଶୁକୁ ଦଳି ଦେବାରୁ ତାର ମୃତ୍ୟୁ ହୋଇଥିଲା ।
ଏନେଇ ଖବର ପାଇଁ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡାଇବା ସହ ମୃତ ଶିଶୁକୁ ବ୍ୟବଚ୍ଛଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇଛି। ତେବେ ଖାଦ୍ୟ ଅନ୍ବେଷଣରେ ହାତୀ ଗ୍ରାମ ଭିତରକୁ ପଶି ଆସୁଥିବା ଅନୁମାନ କରାଯାଉଛି । ହାତୀଟି ପାଖ ଜଙ୍ଗଲରେ ରହିଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଏ ଘଟଣାନେି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ