ଢେଙ୍କାନାଳ: ବାରମ୍ବାର ଗୁହାରି ସତ୍ତ୍ୱେ ମିଳିଲାନି ପିଇବା ପାଣି । ଯାହାକୁ ନେଇ ତାତିଛନ୍ତି ଢେଙ୍କାନାଳ ସହର ୱାର୍ଡ ନଂ ୧୩ ବାସିନ୍ଦା । ଆଜି ଏହି ୱାର୍ଡର ଶତାଧିକ ଲୋକେ ସ୍ଥାନୀୟ ନୂଆପୋଖରୀ ସ୍ଥିତ ଜନସ୍ୱାସ୍ଥ୍ୟ ବିଭାଗର ପମ୍ପ ହାଡସ ସମ୍ମୁଖରେ ପହଁଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ପମ୍ପ ହାଉସର ଅପରରେଟରକୁ ଗୋଟେ ଘରେ ରଖି ତାଲା ପକାଇ ଦେଇଥିଲେ ଉତ୍ୟକ୍ତ ଲୋକେ । ଫଳରେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା ।
ଖବରପାଇ ଟାଉନ ପୋଲିସ ଓ ପିଏଚଡି କନିଷ୍ଠ ଯନ୍ତ୍ରୀ ପହଁଞ୍ଚି ପ୍ରତିଶୃତି ଦେବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରେ ପମ୍ପ ହାଉସ ତାଲା ଖୋଲିଥିଲେ ଲୋକେ । ଲୋକଙ୍କ ଅଭିଯୋଗ ହେଲା, ସହରର ୧୩ନଂ ୱାର୍ଡ ଗୁଡ଼ିଆ ନାଳୀ ନୂଆପୋଖରୀ ତଳି ଅଞ୍ଚଳ, ମୀନା ବଜାର, କୁମ୍ଭାର ସାହି, କାଞ୍ଚନ ବଜାର ଓ ବଡ଼ ଷାଠିଏ ବାଟିଆ ଆଦି ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ପାଣି ଯୋଗାଣରେ ଅବହେଳା କରି ଆସୁଥିଛନ୍ତି ।
ଏସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ସ୍ଥାନୀୟ ବାସିନ୍ଦା ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଫଳରେ ପାଣି ଟାକ୍ସ ଦେଇ ମଧ୍ୟ ପାଣି ନପାଇବାରୁ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଉଠିଥିଲେ ।
ଇଟିଭି ଭାରତ, ଢେଙ୍କାନାଳ