ଢେଙ୍କାନାଳ: ମଣିଷର ମୃତଦେହକୁ ଝୁଣି ଖାଉଛନ୍ତି କୁକୁର । ଏପରି ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ । ସହର ଉପଖଣ୍ଡ ଶ୍ୟାମଚରଣପୁର ରେଳ ଷ୍ଟେସନ ନିକଟରେ ଦୁଇଦିନ ହେଲା ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିରହିଛି । ମାତ୍ର ଉକ୍ତ ମୃତଦେହକୁ ନା ରେଲୱେ ପୋଲିସ ଅଥବା ସ୍ଥାନୀୟ ପୋଲିସ କେହି ଉଦ୍ଧାର କରୁନଥିବାରୁ କୁକୁର ଝୁଣି ଖାଉଥିବା ଦେଖିବାକୁ ମିଳିଛି ।
ସେପଟେ ଦୁଇଦିନ ହେବ କ୍ଷତ ବିକ୍ଷତ ମୃତଦେହ ପଡି ରହିଥିବାରୁ ଦୁର୍ଗନ୍ଧ ବାହାରୁଛି । ଫଳରେ ସ୍ଥାନୀୟ ବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୃତ ଯୁବକ ଜଣକ ଏକ ହାଫ୍ ପ୍ୟାଣ୍ଟ, ହଳଦିଆ ଏବଂ ନୀଳ ରଙ୍ଗର ଚେକ୍ ସାର୍ଟ ପିନ୍ଧିଥିବା ଜଣାପଡିଛି । ତେବେ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି । ଶ୍ୟାମଚରଣପୁର ପାସେଞ୍ଜର ହଲଟ ଠାରୁ ମାତ୍ର ୫୦ ଫୁଟ ମଧ୍ୟରେ ରେଳ ଧାରଣା ପାର୍ଶ୍ବରେ ପଡିରହିଛି ଏହି ମୃତଦେହ । ସ୍ଥାନୀୟ ଲୋକେ ଜିଆରପି ପୋଲିସକୁ ଖବର ଦେଇଥିଲେ ମଧ୍ୟ ଏହି ମୃତଦେହ ଉଦ୍ଧାର କରାଯାଇନଥିବାରୁ ମୃତଦେହକୁ କୁକୁର ଟାଣି ଖାଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ