ଢେଙ୍କାନାଳ: ଗୋଟିଏ ପଟେ ସମାଜରେ ଚୋରି ଓ ଡକାୟତିର ମାତ୍ରା ବଢି ଚାଲିଥିବା ବେଳେ ଢେଙ୍କାନାଳ ପରଜଙ୍ଗ ଥାନା ପାଟରପଦା ସାନକମର ଗ୍ରାମର ରୂପଶ୍ରୀ ସୃଷ୍ଟି କରିଛନ୍ତି ନୂଆ ଉଦାହରଣ । ଏଟିଏମରୁ ଟଙ୍କା ଉଠାଇବାକୁ ଯାଇ ସେ ଦେଖିଥିଲେ କି ମେସିନରୁ କିଛି 500 ଟଙ୍କିଆ ନୋଟ ବାହାରିଛି । ଭଲରେ ଗଣିବାରୁ ଏଥିତରେ 10 ହଜାର ଟଙ୍କା ରହିଥିବା ସେ ଜାଣି ପାରିଥିଲେ । ହେଲେ ଆଖପାଖରେ କାହାକୁ ନପାଇ ସେ ତୁରନ୍ତ ସେହି ଟଙ୍କାକୁ ପରଜଙ୍ଗ ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ ।
ସାନକମର ଗ୍ରାମର ବିହାରୀ ଲାଲ ମାଝୀଙ୍କ ଝିଅ ରୂପଶ୍ରୀ ମାଝୀ ପାଟରପଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ-19 ଫାର୍ମାଶିଷ୍ଟ ଭାବେ କାର୍ଯ୍ୟରତ । ତେବେ ସେ ଏଟିଏମରୁ ଟଙ୍କା ଉଠାଣ ପାଇଁ ଯାଇ 10 ହଜାର ଟଙ୍କା ପାଇବା ପରେ ଏହାର ଯୋଗ୍ୟ ହିତାଧିକାରୀଙ୍କୁ ଆଖପାଖରେ ଖୋଜାଖୋଜି କରିଥିଲେ । ହେଲେ କାହାରି ସନ୍ଧାନ ନପାଇ ସେ ପରଜଙ୍ଗ ଥାନାଧିକାରୀଙ୍କୁ ଟଙ୍କା ହସ୍ତାନ୍ତର କରିଥିଲେ ।
ରୂପଶ୍ରୀଙ୍କ ଏହି ନିସ୍ବାର୍ଥପର ମନୋଭାବ ପାଇଁ ତାଙ୍କୁ ଥାନାଧିକାରୀ ଅନେକ ସାଧୁବାଦ ଜଣାଇଛନ୍ତି । ଏଥିସହ ମହାମାରୀ ପରି ସମୟରେ ତାଙ୍କର ଏହି ସେବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ କରାଯାଇଛି । ତେବେ ପରଜଙ୍ଗ ଥାନାଧିକାରୀ ଏହି ଅର୍ଥ ରାଶିର ପ୍ରକୃତ ହିତାଧିକାରୀଙ୍କୁ ଖୋଜି ତାଙ୍କୁ ଅର୍ଥ ହସ୍ତାନ୍ତର କରିବା ନେଇ ସୂଚନା ମିଳିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ