ଢେଙ୍କାନାଳ: ପାନୀୟ ଜଳ ଯୋଗାଣ ନେଇ ଘୋର ଅବ୍ୟବସ୍ଥା । ଜନସାଧାରଣରେ ତୀବ୍ର ଅସନ୍ତୋଷ ପରେ ପିଏଚଡି କାର୍ଯ୍ୟାଳୟରେ ତାଲା ପକାଇଲେ ପୌର କାଉନସିଲର। ପିଏଚଡି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ସ୍ଥାୟୀ ପ୍ରତିକାର ଦାବି ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଥିବା ଜଣାପଡ଼ିଛି ।
ଢେଙ୍କାନାଳ ସହରରେ ପାନୀୟ ଜଳ ଯୋଗାଣରେ ବାରମ୍ବାର ଅବ୍ୟବସ୍ଥା ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅଞ୍ଚଳବାସୀ ଏବଂ ପୌର କାଉନସିଲରଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ବେ ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର କରାଯାଉନଥିବା ଜଣାପଡ଼ିଛ। ଏପରିସ୍ଥଳେ ଗତ ତିନି ଦିନ ହେଲା ସହରର ଅଧିକାଂଶ ସ୍ଥାନକୁ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଛି । ଫଳରେ ଢେଙ୍କାନାଳ ପୌର କାଉନସିଲରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ବିଜେଡି ଦଳୀୟ କାଉନସିଲରମାନେ ସ୍ଥାନୀୟ ପିଏଚଡି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇ ଦେଇଥିଲେ । ଅଫିସ ଘେରାଉ କରିବା ସହ ପିଏଚଡି ଅଫିସ ସମ୍ମୁଖରେ ଗଣଧାରଣା ଦେଇ ଏହାର ସ୍ଥାୟୀ ପ୍ରତିକାର ଦାବି କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଟାଉନ ଥାନା ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ।
ତେବେ ମୁଖ୍ୟ ପମ୍ପ ଖରାପ ଥିବାରୁ ଏପରି ସମସ୍ୟା ଉପୁଜୁଥିବା ଜଣାପଡ଼ିଛି। ଖୁବଶୀଘ୍ର ଏହାର ସ୍ଥାୟୀ ସମାଧାନ କରାଯାଉଛି ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ହଟିଛନ୍ତି କାଉନସିଲର ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ