ଢେଙ୍କାନାଳ: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସର ଅଧୀଶ୍ଵର ପ୍ରଭୁ ଚଦ୍ରଶେଖର ଜୀଉ ପୁଣି ସୁନାରେ ଝଟକୁଛନ୍ତି । ଆଜି(ଶୁକ୍ରବାର) ପ୍ରଭୁଙ୍କ ପାଖରେ ପ୍ରାୟ ୨ କେଜି ଓଜନ ସୁନାରେ ନିର୍ମିତ ପଞ୍ଚବକ୍ରୀ ମୁକୁଟ ଓ ସୁନା ପ୍ରଲେପ, ରୁପା ନାଗ ଲାଗି କରାଯାଇଛି । ଦେବୋତ୍ତର ବିଭାଗ ଓ ଶ୍ରଦ୍ଧାଳୁ ମାନଙ୍କ ସହଯୋଗରେ କୋଟିଏ ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହି ପଞ୍ଚବକ୍ରୀ ସୁନାର ମୁକୁଟ ତିଆରି କରାଯାଇଛି ବୋଲି ପ୍ରକାଶ କରିଛନ୍ତି ପିଡ଼ି ଡିଆରଡିଏ ତଥା ଦେବୋତ୍ତର ଅଧିକାରୀ ।
ଏହି ଉପଲକ୍ଷେ ଆୟୋଜିତ ପ୍ରତିଷ୍ଠା ଉତ୍ସବରେ ପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ପାଖରେ ଢେଙ୍କାନାଳ ରାଜପରିବାର ପକ୍ଷରୁ ଯୁବରାଜ ଅମରଜ୍ୟୋତି ସିଂହଦେଓ ଓ ରାଜପୁରୋଧା ମାଧ୍ୟମରେ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଏହି ସ୍ଵର୍ଣ୍ଣର ପଞ୍ଚବକ୍ରୀ ମୁକୁଟ ପ୍ରଭୁଙ୍କ ପାଖରେ ଲାଗି କରାଯାଇଛି ।
ଏହି ଅବସରରେ ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜିଲ୍ଲାପାଳ, ଜିଲ୍ଲା ଦେବୋତ୍ତର ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ । ତେବେ କପିଳାଶ ପୀଠର ପରମ୍ପରା ବର୍ଷରେ ତିନି ଥର ଅର୍ଥାତ, ଜାଗରଯାତ୍ରା, ପୌଷାଭିଷେକ ଓ ମକର ସଂକ୍ରାନ୍ତିରେ ପ୍ରଭୁ ଚନ୍ଦ୍ରଶେଖରଙ୍କର ନାଗାଭରଣ ବେଶ ବା ସୁନାବେଶ ହୋଇଥାଏ ।
ମାତ୍ର ଆଜକୁ ପ୍ରାୟ ୭୦ ବର୍ଷ ପୂର୍ବେ ପ୍ରଭୁଙ୍କର ସୁନା ଅଳଙ୍କାର ଚୋରି ହୋଇଯିବା ପରେ ପ୍ରଭୁଙ୍କର ନାଗାଭରଣ ବେଶ କେବଳ ପ୍ରଥାରେ ଚାଲିଥିଲା । ତେବେ ପୁର୍ନବାର ପ୍ରଭୁଙ୍କ ପାଖରେ ଏହି ସ୍ଵର୍ଣ୍ଣ ନିର୍ମିତ ପଞ୍ଚବକ୍ରୀ ସୁନା ମୁକୁଟ ଲାଗି ହେବା ପରେ ଶ୍ରଦ୍ଧାଳୁଙ୍କ ମହଲରେ ଉତ୍ସାହ ଦେଖାଦେଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ