ଢେଙ୍କାନାଳ: କୋରୋନା ମହାମାରୀ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଚାରି ଆଡ଼ୁ ସାହାଯ୍ୟର ସୁଅ ଛୁଟୁଛି । ଆଉ ଏଥିରୁ ବାଦ୍ ପଡି ନାହାନ୍ତି ଢେଙ୍କାନାଳ ଜିଲ୍ଲା ଭୁବନବାସୀ ।
ଭୁବନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କ ନେତୃତ୍ବରେ ଆଜକୁ ୩୦ ଦିନ ହେବ ଗାଁକୁ ଗାଁ ଘରକୁ ଘର ଯାଇ ସାହାଯ୍ୟ ମାଗିଥିଲେ । ଏଥିପାଇଁ ଅଧ୍ୟକ୍ଷଙ୍କୁ ବିପୁଳ ସମର୍ଥନ କରିଥିଲେ ତାଙ୍କର ସହଯୋଗୀ । ଭୁବନ ବ୍ଲକର ଅଠରଟି ପଞ୍ଚାୟତ ବୁଲିଛନ୍ତି ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ।
ଗତକାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡିଓ, ତହସିଲଦାର, ଥାନାଧିକାରୀ ଏବଂ ମିଡିଆ ବନ୍ଧୁମାନଙ୍କ ଉପସ୍ଥିତରେ ଦାନ ବାକ୍ସ ଖୋଲାଯାଇ ଟଙ୍କା ଗଣା ଯାଇଥିଲା । ଦୁଇଟି ଦାନ ବାକ୍ସରୁ ମୋଟ ପାଞ୍ଚ ଲକ୍ଷ ଏକାନବେ ହଜାର ଏକାବନ ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ଏହି ଅର୍ଥକୁ ଭୁବନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ବ୍ୟାଙ୍କ ଡ୍ରାଫ୍ଟ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ