ଢେଙ୍କାନାଳ: ଢେଙ୍କାନାଳ ସହରର ବାଜିଚୌକ ଓଭର ବ୍ରିଜ ତଳେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ସୂଚନା ଅନୁଯାୟୀ କିଛି ଶିଶୁ ଖେଳୁଥିବାବେଳେ ତାଙ୍କ ଉପରେ ଏକ ବାହାଘର ଶୋଭାଯାତ୍ରା ପାଇଁ ଯାଉଥିବା ପିକ ଅପ ଭ୍ୟାନ ଚଢିଯାଇଛି । ଫଳରେ ଗୁରୁତର ଅବସ୍ଥାରେ ତିନି ଜଣ ଶିଶୁଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସୁହାନା କୁମାରୀ ଓ ସେହେନା କୁମାରୀ ନାମକ ପାଞ୍ଚ ବର୍ଷ ଓ ସାତ ବର୍ଷର ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ଅପରପକ୍ଷରେ ଲୁସି କୁମାରୀ ନାମକ ଅନ୍ୟ ଜଣେ ୧୨ବର୍ଷର ଶିଶୁର ଅବସ୍ଥା ଗୁରୁତର ହୋଇଛି ।
ମୃତାହତ ମାନେ ବିହାର ରୋହିଦା ଜିଲ୍ଲା ମାନଗଲ ଅଞ୍ଚଳର ବୋଲି ଜଣା ପଡିଛି । ପରିବାର ସହ ବୁଲା ବିକାଳୀ ଭାବେ ଏହି ବାଜି ଚୌକ ଓଭର ବ୍ରିଜ ତଳେ ରହୁଥିଲେ ସେମାନେ । ଦୁର୍ଘଟଣା ପରେ ପିକଅପ ଭ୍ୟାନ ଡ୍ରାଇଭର ଫେରାର ହୋଇଯାଇଛି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଟାଉନ ପୁଲିସ ପହଞ୍ଚି ପିକଅପ ଭ୍ୟାନକୁ ଜବତ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଢେଙ୍କାନାଳ ତହସିଲଦାର ପହଞ୍ଚି ମୃତାହତ ପରିବାରକୁ ଅନୁକମ୍ପା ମୂଳକ ସହାୟତା ପାଇଁ ରେଡ଼କ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ