ଢେଙ୍କାନାଳ: ପରିବେଶକୁ ଧ୍ବଂସାଭିମୁଖୀ କରୁଛି ମଣିଷର ସାମୂହିକ ସ୍ବାର୍ଥ । ଜଙ୍ଗଲ କ୍ଷୟ ଠୁ ବନ୍ୟଜନ୍ତୁ ଶିକାର ଏସବୁ ପାଇଁ ସନ୍ତୁଳନ ହରାଉଛି ପ୍ରକୃତି । କେବେ ବାଘ-ହରିଣ ଛାଲ ଶିକାର ହେଉଛି ତ ଆଉ କେବେ ହାତୀ ଦାନ୍ତ । ଏସବୁ ମଧ୍ୟରେ ୫ ବର୍ଷର ହାତୀ ଛୁଆ ବୋମା ଖାଇଦେବା ଘଟଣା ବନ ବିଭାଗକୁ ଚିନ୍ତାରେ ପକାଇଛି । ରାସାୟନିକ ସାମଗ୍ରୀରେ ତିଆରି ବୋମା ଖାଇ ଜଙ୍ଗଲରେ ଡହଳ ବିକଳ ହେଉଛି ହାତୀଛୁଆ ।
ଜାନୁଆରୀ ୧୦ ରେ ଦେବଗଡ ବନଖଣ୍ଡର ଏକ ହାତୀ ଛୁଆ ବମ୍ବ ଖାଇ ପ୍ରାଣ ବିକଳରେ ଢେଙ୍କାନାଳ ବନଖଣ୍ଡକୁ ପଳାଇ ଆସିଥିଲା । ଦୀର୍ଘ ୭ ଦିନ ଯନ୍ତ୍ରଣାରେ ଛଟପଟ ହେବା ପରେ ୧୭ ତାରିଖରେ ହାତୀ ଛୁଆକୁ ଢେଙ୍କାନାଳ ବନ ବିଭାଗ ପକ୍ଷରୁ ଆମ୍ବପଳାଶ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ସାତକୋଶିଆରୁ ଡାକ୍ତରୀ ଟିମ୍ ଆସି ହାତୀଛୁଆକୁ ଟ୍ରାଙ୍କୁଲାଇଜ କରି କପିଳାଶ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରରେ ଚିକିତ୍ସା କରାଇଛନ୍ତି । ମାତ୍ର ହାତୀ ପେଟରେ ବିସ୍ଫୋରଣ ଘଟିବା ପରେ ତା'ର ପାଟି ଓ ପାକସ୍ଥଳୀ କ୍ଷତାକ୍ତ ହୋଇଯାଇଛି । ଫଳରେ OUAT କ ଏକ ବିଶେଷଜ୍ଞ ଟିମ୍ କପିଳାଶ ଯାଇ ହାତୀର ଅସ୍ତ୍ରୋପଚାର କରି ଫେରିଛନ୍ତି ।
ତଥାପି ଏହି ହାତୀ ଛୁଆଟି ଖାଦ୍ୟ ଖାଇ ପାରୁନଥିବାରୁ ବାହାରୁ ପାଇପ ସଂଯୋଗ କରି ତରଳ ଖାଦ୍ୟ ଦେବାକୁ ଚେଷ୍ଟା କରାଯାଉଛି । ବର୍ତ୍ତମାନ ହାତୀର ଜୀବନ ସଂକଟାପନ୍ନ ରହିଛି । ଏପଟେ ପାଟି ଭିତରେ ବୋମା ଫୁଟିବା ଘଟଣାକୁ ଏଡାଇ କିଛି ସଂକ୍ରମଣଜନି ବୋଲି କହିଛନ୍ତି ଢେଙ୍କାନାଳ ବନ ବିଭାଗ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ଅସ୍ତ୍ରପଚାର କରାଯାଇଥିବାରୁ ଖାଦ୍ୟ ଖାଇଲେ ହୁଏତ ହାତୀ ଛୁଆଟି ବଞ୍ଚିଯାଇ ପାରିବ ବୋଲି ପ୍ରକାଶ କରିଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ।
ଯନ୍ତ୍ରଣା ବଖାଣି ପାରୁନଥିଲେ ମଧ୍ୟ, ହାତୀର ହାବ-ଭାବ ସ୍ପଷ୍ଟ କରୁଛି କେତେ କଷ୍ଟ ହେଉଛି ତାକୁ । ଶୀଘ୍ର ତା'ର ଯନ୍ତ୍ରଣା ଦୂର ହେବା ସହ ଆଗକୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ ପଡିଛି । ତେବେ ଯାଇ ବନ୍ୟଜନ୍ତୁ ଏବଂ ପରିବେଶ ସୁରକ୍ଷିତ ହୋଇପାରିବ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ