ଦେବଗଡ଼: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସରକାରୀ ବାସଭବନ , କାର୍ଯ୍ୟାଳୟ ସମେତ 4 ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢାଉ ପରେ ମୋଟ 70 ଲକ୍ଷ 74 ହଜାର 129 ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି ।
ଦେବଗଡ଼ ପୌର ନିର୍ବାହୀ ଅଧିକାରୀ ଆଜକୁ ଦୀର୍ଘ ସାତବର୍ଷ ହେଲା ଦେବଗଡ଼ ପୌର କାର୍ଯ୍ୟାଳୟରେ ଅବସ୍ଥାପିତ ଥାଇ ବିଭିନ୍ନ ଦୁର୍ନୀତି ଓ ଅର୍ଥ ଆତ୍ମସାତ ମାମଲାରେ ସମ୍ପୃକ୍ତ ଥିବା ନେଇ ଜନସାଧାରଣରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ତେବେ ଏସମସ୍ତ ଅଭିଯୋଗ ଭିତ୍ତିରେ ମଙ୍ଗଳବାର ଭୋର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ବଲପୁର ଡିଏସପି ଦାଶରଥି ସେଠିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ନିର୍ବାହୀ ଯନ୍ତ୍ରୀଙ୍କ ଦେବଗଡ଼ ସ୍ଥିତ ସରକାରୀ ବାସଭବନ , ପୌର କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ । ସେହିପରି ରାଉଲକେଲା ଡ଼ିଏସପି ବିରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ବ୍ରଜରାଜନଗର ରାଜପୁର ସ୍ଥିତ ପୈତୃକ ବାସଭବନ ଓ ଝାରସୁଗୁଡା ଜଗନ୍ନାଥ ନଗରସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଭାବେ ଚଢ଼ାଉ କରାଯାଇଥିଲା ।
ଏହି ଚଢ଼ାଉ ବେଳେ ଉପରୋକ୍ତ ଚାରୋଟି ସ୍ଥାନରୁ ମୋଟ 70 ଲକ୍ଷ 74 ହଜାର 129 ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ଏଥି ମଧ୍ୟରୁ ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ 35 ଲକ୍ଷ 86 ହଜାର 603 ଟଙ୍କାର ଜମା , 28 ଲକ୍ଷ 36 ହଜାର 600 ଟଙ୍କାର ଦୁଇ ମହଲା ଅଟ୍ଟାଳିକା , 1 ଲକ୍ଷ 34 ହଜାର 224 ଟଙ୍କାର ଦୁଇଟି ବାଇକ , 92 ହଜାର 370 ଟଙ୍କା ନଗଦ ଅର୍ଥ , 57 ହଜାର 550 ଟଙ୍କା ମୂଲ୍ୟର ସୁନା ଓ ରୁପା ଗହଣା , 3 ଲକ୍ଷ 56 ହଜାର 782 ଟଙ୍କାର ଆସବାପତ୍ର ଠାବ କରାଯାଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାଯାଇଛି ।
ବିଗତ କିଛିବର୍ଷ ହେଲା ଦେବଗଡ଼ ପୌର କାର୍ଯ୍ୟାଳୟରେ ବେଆଇନ ଭାବେ ଦୋକାନ ଗୃହ ନିର୍ମାଣ ଓ ଆବଣ୍ଟନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆଦିରେ ବହୁ ଦୁର୍ନୀତି ହୋଇଥିବା ନେଇ ଚର୍ଚ୍ଚା ହୋଇଆସୁଥିଲା । ତେବେ ଭିଜିଲାନ୍ସ ବିଭାଗ ଏସମସ୍ତ ଦିଗରେ ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ