ଦେବଗଡ: ଦୁର୍ଘଟଣାର ଶିକାର ହେଲେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ । ଗୁରୁବାର ରାତିରେ ସମ୍ବଲପୁରରୁ ଦେବଗଡ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସାଂସଦ ।
ସୂଚନା ଅନୁଯାୟୀ, ଗୁରୁବାର ରାତି 10 ଟା ସମୟରେ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ସମ୍ବଲପୁରରୁ ଦେବଗଡ ଅଭିମୁଖେ ଫେରୁଥିଲେ । ତିଳେଇବଣି ବ୍ଲକ କୁରଡ ଗାଁ ନିକଟ 49 ନଂ ଜାତୀୟ ରାଜପଥରେ କାର (OD 0U 2323 )କୁ ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାରୁ ସାଂସଦ ବର୍ତ୍ତି ଯାଇଛନ୍ତି ହେଲେ କାରଟି ପଛରୁ ଆଂଶିକ କ୍ଷତି ହୋଇଛି । ରାସ୍ତାରେ ଏକ ଗାଡି ଦେଖି ଡ୍ରାଇଭର ବ୍ରେକ ମାରିବାରୁ ପଛରେ ଆସିଥିବା ଟ୍ରକ ଟି କାରକୁ ଧକ୍କା ଦେଇଥିଲା ।
ବର୍ତ୍ତମାନ 49 ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁରହିଛି । ରାସ୍ତାସାରା ବହୁ ଗାଡ଼ ଖାଲରେ ଭର୍ତ୍ତି ହୋଇଛି । ସମ୍ପୃକ୍ତ ଠିକା ସଂସ୍ଥା ରାସ୍ତାର ମରାମତି ପ୍ରତି ଦୃଷ୍ଟି ଦେଉ ନଥିବାରୁ ପ୍ରତିଦିନ ଏହି ରାସ୍ତାରେ ବହୁ ଛୋଟବଡ ଦୁର୍ଘଟଣାମାନ ଘଟିବାରେ ଲାଗିଛି ।
ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ