ଦେବଗଡ଼: ଜିଲ୍ଲା ପୌରାଞ୍ଚଳରେ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ହ୍ରାସ ଦାବିରେ ତେଜିଲା ଜନ ଆନ୍ଦୋଳନ । ଫଳରେ ପୌରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ପୌରାଧ୍ୟକ୍ଷଙ୍କ ନିକଟରେ ବିଧାୟକ ଓ ବିଭିନ୍ନ ନାଗରିକ ସଂଗଠନ ଏକ ଦାବିପତ୍ର ପ୍ରଦାନ କରି ବର୍ଦ୍ଧିତ ଟ୍ୟାକ୍ସ ହ୍ରାସ କରିବାକୁ ଦାବି କରିଛନ୍ତି ।
ଦେବଗଡ଼ ପୌରାଞ୍ଚଳରେ ଅହେତୁକ ଭାବେ ବୃଦ୍ଧି ପାଇଛି ହୋଲ୍ଡିଂ ଟ୍ୟାକ୍ସ । ଏହି କ୍ରମରେ ପୌରାଞ୍ଚଳର ବହୁ ବୁଦ୍ଧିଜୀବୀ ଓ ନାଗରିକ ସଂଗଠନ ପୌରାଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ବର୍ଦ୍ଧିତ ଟ୍ୟାକ୍ସ ତୁରନ୍ତ ହ୍ରାସ କରିବାକୁ ଦାବି କରିଛନ୍ତି । ଦେବଗଡ଼ ଜିଲ୍ଲା ଏକ କ୍ଷୁଦ୍ରତମ ଓ ଅନଗ୍ରସର ଜିଲ୍ଲା ଅଟେ। ଏଠାରେ ଲୋକଙ୍କ ଆର୍ଥିକ ପରିସ୍ଥିତି ସେତେଟା ସ୍ବଚ୍ଛଳ ନୁହେଁ । ଜିଲ୍ଲାରେ କୌଣସି ଶିଳ୍ପ କିମ୍ବା କଳ କାରଖାନା ନଥିବାରୁ ଅଧିକାଂଶ ଜନସାଧାରଣ ବିଶେଷ କରି କୃଷି ଉପରେ ନିର୍ଭରଶୀଳ ହୋଇଥାନ୍ତି । ମାତ୍ରଲ ଜିଲ୍ଲାବାସୀଙ୍କ ଆର୍ଥିକ ପରିସ୍ଥିତିକୁ ଅନୁଧ୍ୟାନ ନକରି ପୂର୍ବ କାଉନସିଲ ପୌରାଞ୍ଚଳରେ ହୋଲ୍ଡିଂ ଟ୍ୟାକ୍ସକୁ 200 ଗୁଣାରୁ ଅଧିକ ବଢ଼ାଇ ଦେଇଛି ।
ତେଣୁ ଗରିବ ଶ୍ରେଣୀକ ଲୋକେ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପଇଠ କରିବାକୁ ସକ୍ଷମ ହୋଇପାରୁ ନାହାନ୍ତି । ସେହି ସମୟରେ ମଧ୍ୟ ପୌରବାସୀ ଓ ବିଭିନ୍ନ ନାଗରିକ ସଂଗଠନ ଏହାକୁ ତୀବ୍ର ବିରୋଧ କରିଥିଲେ । ମାତ୍ର ଏହାର କୌଣସି ସୁଫଳ ମିଳିପାରି ନଥିଲା । ରାଜ୍ୟର ଅନ୍ୟ ବିକଶିତ ସହରାଞ୍ଚଳରେ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ଏଯାଏ ଲାଗୁ ହୋଇପାରି ନଥିବା ବେଳେ, ଦେବଗଡ଼ ଭଳି ଏକ ଛୋଟ ଓ ପଛୁଆ ଜିଲ୍ଲାରୋ ତରବରିଆ ଭାବେ ଟ୍ୟାକ୍ସ ଲାଗୁ କରାଯିବା ପୌରବାସୀ ସହଜେ ଗ୍ରହଣ କରିପାରୁ ନାହାନ୍ତି ।
ଅନ୍ୟ ପକ୍ଷରେ ପ୍ରତିବର୍ଷ ହୋଲ୍ଡିଂ ଟ୍ୟାକ୍ସ ଏପ୍ରିଲ 30 ତାରିଖ ସୁଦ୍ଧା ପଇଠ କରାଗଲେ ଶତକଡା 20 ପ୍ରତିଶତ ରିହାତି ମିଳୁଥିଲା । ହେଲେ ବର୍ତ୍ତମାନ ତାହା କମାଇ 10 ପ୍ରତିଶତ ଧାର୍ଯ୍ୟ କରାଯାଇଛି । ଯାହାକି ପୌରବାସୀଙ୍କ ଅସନ୍ତୋଷର ଅନ୍ୟ ଏକ କାରଣ ପାଲଟିଛି । ତେବେ ନୂତନ କାଉନସିଲ ଗଠନ ହେବା ପରେ ପୌରବାସୀଙ୍କ ଏହି ଦାବି ପୁଣିଥରେ ଜୋର ଧରିଛି । ଏହି ମର୍ମରେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ବିଭିନ୍ନ ନାଗରିକ ସଂଗଠନ କର୍ମକର୍ତ୍ତା ପ୍ରମୁଖ ମିଳିତ ଭାବେ ପୌରାଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ତୁରନ୍ତ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ହ୍ରାସ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଏହା ଆନ୍ଦୋଳନର ପନ୍ଥା ଆପଣାଇବ ବୋଲି ସଂଗଠନ ଚେତାବନୀ ଦେଇଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ