ଦେବଗଡ: କୋରୋନା ମହାମାରୀ ଉଜାଡ଼ି ଦେଇଛି ବେଉସା । ବିପୁଳ ପରିମାଣରେ କ୍ଷତି ସହୁଛନ୍ତି ଆମ୍ବଚାଷୀ । ଶହ ଶହ କ୍ବିଣ୍ଟାଲ ଆମ୍ବ ବିକ୍ରି ହୋଇନପାରି ଗଛମୂଳେ ପଚିସଢି ଯାଉଛି । ଏଭଳି ସ୍ଥିତି ଦେଖିବାକୁ ମିଳିଛି କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ ।
ଆମ୍ବ ଚାଷ ପାଇଁ ଦେବଗଡ଼ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ରହିଛି । ଜିଲ୍ଲାର ମୃତ୍ତିକା ଓ ଜଳବାୟୁ ଆମ୍ବଚାଷ ପାଇଁ ବେଶ ଉପଯୋଗୀ ହୋଇଥିବାରୁ ଅନେକ ଚାଷୀ ଆମ୍ବଚାଷ ପ୍ରତି ମନ ବଳାଇଥାନ୍ତି । ଜିଲ୍ଲାର ରିଆମାଳ , ତିଳେଇବଣି ଓ ବାରକୋଟ ଆଦି ତିନୋଟି ବ୍ଲକର ବିଭିନ୍ନ ଅଞ୍ଚଳରେ ଅନେକ ଚାଷୀ ଶହ ଶହ ହେକ୍ଟର ପରିମିତ ବଗିଚାରେ ଆମ୍ରପଲ୍ଲୀ, ଦଶରୀ, ନିଲାମ ଓ ଲେଙ୍ଗଡା ଆଦି ବିଭିନ୍ନ କିସମର ଉନ୍ନତ ମାନର ଆମ୍ବଚାଷ କରି ଆର୍ଥିକ ସ୍ବାବଲମ୍ବୀ ହୋଇପାରିଛନ୍ତି । ଚଳିତ ବର୍ଷ ମଧ୍ୟ ଜିଲ୍ଲାରେ ଆଶାନୁରୂପ ଭାବେ ଆମ୍ବ ଆଦାୟ ହୋଇଛି । ମାତ୍ର, ଅତ୍ୟନ୍ତ ଦୁଃଖର ବିଷୟ କି ଚଳିତ ବର୍ଷ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସାରା ଦେଶରେ ଲକଡାଉନ ଜାରି କରିଛନ୍ତି । ଏଥିଯୋଗୁଁ ଲୋକଙ୍କ ଯାତାୟତ ଓ ଯାନବାହାନ ଚଳାଚଳ ଉପରେ କଡା କଟକଣା ରହିଛି । ସ୍ଥାନୀୟ ବଜାର ମଧ୍ୟ ବନ୍ଦ ରହୁଛି । ଫଳରେ ଆମ୍ବ କିଣିବା ପାଇଁ ଜିଲ୍ଲା ବାହାରୁ ଆସୁଥିବା ବେପାରୀ ମାନେ ଆଉ ଆସିପାରୁ ନାହାନ୍ତି କିମ୍ବା ଚାଷୀମାନେ ସ୍ଥାନୀୟ ବଜାରରେ ଆମ୍ବ ବିକ୍ରି କରିପାରୁ ନାହାନ୍ତି । ଫଳରେ ଚାଷୀମାନେ ରାସ୍ତାକଡ଼ରେ ଆମ୍ବ ପସରା ମେଲିବା ସହିତ ଉନ୍ନତ ମାନର ଆମ୍ବ କିଲୋପ୍ରତି ପାଞ୍ଚ ଟଙ୍କାରୁ ଦଶଟଙ୍କା ମଧ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।
ପ୍ରତିଦିନ ବହୁ ପରିମାଣରେ ଆମ୍ବ ବିକ୍ରି ନହେବାରୁ ଗଛ ତଳେ ପଚି ସଢ଼ି ଯାଉଥିବା ଦେଖାଯାଇଛି । ଯାହାକି ଚାଷୀଙ୍କୁ ବ୍ୟଥିତ କରିଛି । କୋରୋନା ସଂକ୍ରମଣ ନେଇ ଜାରି ରହିଥିବା ଲକ ଡାଉନ ଜିଲ୍ଲାର ଆମ୍ବଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଥିବା ବେଳେ, ଚାଷୀକୂଳ ଏଥିରୁ କିଭଳି ଉଦ୍ଧାର ପାଇବେ ? ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ