ଦେବଗଡ଼: ବିଦ୍ୟୁତ ବିଭାଗର ଚରମ ଅବହେଳା କାରଣରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଦେବଗଡ଼ ଜିଲ୍ଲାବାସୀ । ଦୀର୍ଘ 20 ଘଣ୍ଟା ହେଲା ଜିଲ୍ଲାରେ ବିଦ୍ୟୁତସେବା ସମ୍ପୂର୍ଣ୍ଣ ଠପ ହୋଇ ପଡ଼ିଥିବା ବେଳେ ଏନେଇ ଜନ ସାଧାରଣରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଛି ।
ଗତକାଲି ଅପରାହ୍ନ ଠାରୁ ଦେବଗଡ଼ ଜିଲ୍ଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । ଦୀର୍ଘ 20 ଘଣ୍ଟା ବିତିବାକୁ ବସିଥିଲେ ସୁଦ୍ଧା ବିଦ୍ୟୁତ୍ ସେବା ଆରମ୍ଭ ହେବାର ନାଁ ନେଉନାହିଁ । ଫଳରେ ଜିଲ୍ଲାବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ, ଲୋକେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି । ଦୀର୍ଘ ସମୟ ଧରି ଜିଲ୍ଲାରେ ବିଦ୍ୟୁତ ସେବା ଠପ ହୋଇପଡିବା ଯୋଗୁଁ , ଦେବଗଡ଼ ସହର ସମେତ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ।
ଜଳ ମୁନ୍ଦାଏ ପାଇଁ ଲୋକେ ହାହାକାର ହୋଇ ଗଲେଣି । ଗୋଟିଏ ପକ୍ଷରେ କୋରୋନା ମହାମାରୀ ଯୋଗୁଁ ଲୋକ ନାନା ସମସ୍ୟା ଭୋଗୁଥିବା ବେଳେ, ଜିଲ୍ଲାରେ ଦେଖାଦେଇଥିବା ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି ।
ଏ ସମ୍ପର୍କରେ ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ଓ ନିର୍ବାହୀଯନ୍ତ୍ରୀଙ୍କୁ ପଚାରିଲେ ତାଙ୍କ ଫୋନ ସୁଇଚ ଅଫ ରହୁଛି । ଆଶ୍ଚର୍ଯ୍ୟର ବିଷୟ ଯେ , ଜିଲ୍ଲାରେ ବିଦ୍ୟୁତ ସେବାକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନେକ ପାୱାର ଗ୍ରୀଡ଼ ନିର୍ମାଣ କରାଯାଇଛି । ମାତ୍ର ଏସବୁ ସତ୍ତ୍ୱେ , ଜିଲାରେ ଅଧିକାଂଶ ଦିନ ବିଦ୍ୟୁତ ସରବରାହ ଠପ ହୋଇ ପଡୁଥିବା ବିଭାଗୀୟ କତ୍ତୃପକ୍ଷ ଙ୍କ ଅପାରଗତାକୁ ସ୍ପଷ୍ଟ ଇଙ୍ଗିତ କରୁଛି । ଅନ୍ୟପକ୍ଷରେ ଜିଲାରେ ବାରମ୍ବାର ଦେଖାଦେଉଥିବା ବିଦ୍ୟୁତ ବିଭ୍ରାଟ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ