ଦେବଗଡ଼: ଫରେଷ୍ଟ ଗାର୍ଡଙ୍କୁ ଚକମା ଦେଇ ଛୁ ମାରିଲା ଚୋରା ବାଉଁଶ ବୋଝେଇ ପିକ୍ଅପ୍ ଭ୍ୟାନ । ହାତ ବାନ୍ଧି ବସିଲେ ସରକାରୀ ବାବୁ । ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ଅଧିନ ହିଲାଙ୍ଗ ଗ୍ରାମରେ ଏମିତି ଘଟଣା ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳୁ ହିଲାଙ୍ଗ ଜଙ୍ଗଲରୁ ଚୋରା ବାଉଁଶ ବୋଝେଇ ଏକ ପିକଅପ ଭ୍ୟାନ ମଲେହିପଡା ଅଭିମୁଖେ ଆସୁଥିବା ଖବର ପାଇ ସ୍ଥାନୀୟ ଫରେଷ୍ଟ ଗାର୍ଡ ଯଶୋବନ୍ତ ଦାସ ହିଲାଙ୍ଗ ରାସ୍ତାରେ ଅଟକି ରହିଥିଲେ ।
ବାଉଁଶ ବୋଝେଇ ପିକ୍ଅପ୍ ଭ୍ୟାନ୍ଟି ଆସିବା ପରେ ଗାର୍ଡ ଜଣକ ତାକୁ ଅଟକାଇ କାଗଜପତ୍ର ଯାଞ୍ଚ କରୁଥିଲେ । ଭ୍ୟାନ୍ରେ ଲକ୍ଷାଧିକ ଟଙ୍କାର ଚୋରା ବାଉଁଶ ଥିବା ଜଣା ପଡ଼ିଥିଲା । ଏହାକୁ ନେଇ ସେ ରିଆମାଳ ରେଞ୍ଜ ଅଫିସକୁ ଫୋନ କରିଥିଲେ । ଏହାରି ମଧ୍ୟରେ ସୁଯୋଗ ନେଇ ଘଟଣାସ୍ଥଳରୁ ପିକ୍ଅପ୍ ଭ୍ୟାନ ସହ ଚମ୍ପଟ ମାରିଥିଲେ ଡ୍ରାଇଭର ଓ ତାଙ୍କ ସହଯୋଗୀ । ଗାର୍ଡ ଜଣକ ଏକାକୀ ଅସହାୟ ଭାବେ ଚାହିଁ ରହିବା ଛଡ଼ା କିଛି ବାଟ ପାଇନଥିଲେ । ଶେଷରେ ରିଆମାଳ ରେଞ୍ଜ ଅଫିସର ଓ ଫରେଷ୍ଟରଙ୍କୁ ଏସମ୍ପର୍କରେ ଜଣାଇଛନ୍ତି ଫରେଷ୍ଟ ଗାର୍ଡ ।
ରିଆମାଳ ରେଞ୍ଜ ପକ୍ଷରୁ ଉକ୍ତ ନମ୍ବର ପିକଅପ ଭ୍ୟାନ ନାମରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ପ୍ରାଥମିକ ତଦନ୍ତରୁ ଭ୍ୟାନଟି ରିଆମାଳ ଥାନା ଅଧିନ ମଲେହିପଡା ଅଞ୍ଚଳର ବୋଲି ଜଣାପଡିଛି । ଏହି ଘଟଣାରେ କେହି ଗିରଫ ହୋଇ ନାହାନ୍ତି । ହିଲାଙ୍ଗ ଜଙ୍ଗଲରୁ ନିୟମିତ ଭାବରେ ବାଉଁଶ ଓ ଶାଳକାଠ ଚୋରା ଚାଲାଣ ହେଉଛି । ବିଭାଗରେ ଆବଶ୍ୟକ କର୍ମଚାରୀ ନଥିବାରୁ କାଠ ମାଫିଆ ବେଫିକର ଭାବରେ ବନବିଭାଗ ହାତରୁ ଖସି ଯାଉଥିବା ଚର୍ଚ୍ଚା ହେଉଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ