ଦେବଗଡ଼: ଗାଁରେ ପଶି ହାତୀପଲ ଭାଙ୍ଗିଲେ ଘର । ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ସିମିଳିଆବାହାଳ ଗାଁରେ ହାତୀପଲଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ହାତୀପଲ ଆସି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ଘରଦ୍ବାର ନଷ୍ଟ କରୁଛନ୍ତି । ସନ୍ଧ୍ୟା ହେଲେ ହାତୀପଲ ଗାଁ ମୁହାଁ ହେଉଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
ଦେବଗଡ଼ ରେଞ୍ଜ ଅଧୀନ ସିମିଳିଆବାହାଳ ଗାଁରେ ଗତକାଲି ରାତିରେ ୩୦ଟି ହାତୀ ଆସି ଖଳାରେ ଥିବା ଧାନ ଫସଲ ଖାଇଛନ୍ତି । ଏହା ସହିତ ଗାଁର ସୁଦର୍ଶନ ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଛନ୍ତି । ଗତକାଲି ରାତିରେ ସୁଦର୍ଶନଙ୍କ ପରିବାର ଘରେ ଶୋଇଥିବା ବେଳେ ହାତୀପଲ ତାଙ୍କ ଘର ଭାଙ୍ଗି ଧାନ ଓ ଗହମ ଆଦି ଖାଦ୍ୟଶସ୍ୟ ଖାଇ ଦେଇଥିଲେ । ଘରର ଗୋଟିଏ ପାଖ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟାନ୍ୟ ଆସବାପତ୍ର ମଧ୍ୟ ନଷ୍ଟ ହୋଇ ଯାଇଛି । ହାତୀପଲକୁ ଦେଖି ପରିବାର ଲୋକେ ଦୂରକୁ ଚାଲିଯାଇ ନିଜ ଜୀବନ ବଞ୍ଚାଇଥିଲେ ।
ତେବେ ସୁଦର୍ଶନଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ପ୍ରଶାସନ ଓ ବନବିଭାଗ ନିକଟରେ ଦାବି କରିଛନ୍ତି । ଅନ୍ୟପକ୍ଷରେ ହାତୀ ଉପଦ୍ରବ ଏହି ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି ।
ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ