ଦେବଗଡ: ନାଳ ଖାଉଛି କୂଳ । ଉଜୁଡି ଯାଉଛି ଏକର ଏକର ଚାଷଜମି । ମୁଣ୍ଡରେ ହାତଦେଇ ବସି ରହିଛନ୍ତି ଚାଷୀ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତର ଭୁକାଡେଡା ଗାଁରେ ।
ଟାଇଁସର ପଞ୍ଚାୟତ ଅନ୍ତର୍ଗତ ଭୁକାବେଡା ଗ୍ରାମରେ ଅଧିକାଂଶ ଚାଷୀ ପରିବାର ବସବାସ କରନ୍ତି । ବର୍ଷ ତମାମ ଧାନ ଓ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ସ୍ଥାନୀୟ ଅଞ୍ଚଲ ପାଇଁ କାଳ ପାଲଟିଛି ଗାଁ ନିକଟରେ ପ୍ରବାହିତ ହେଉଥିବା ବାଳିଆପିଟା ନାଳ । ପ୍ରଭାବିତ କରୁଛି ଗ୍ରାମବାସୀଙ୍କ ଜୀବନ ଓ ଜୀବିକାକୁ । କିଛିବର୍ଷ ହେଲା ଦ୍ରୁତଗତିରେ କୂଳ ଖାଉଛି ବାଳିଆପିଟା ନାଳ । ବର୍ଷାଋତୁରେ ନାଳରେ ବନ୍ୟା ଆସିବା ଫଳରେ ଉଭୟ ପାର୍ଶ୍ଵରେ ଥିବା ଗ୍ରାମବାସୀଙ୍କ ଏକର ଏକର ଉର୍ବର ଚାଷଜମି ନାଳ ଗର୍ଭରେ ଲୀନ ହୋଇଯାଉଛି ।
ବିଗତ କିଛିବର୍ଷ ମଧ୍ୟରେ ଗାଁର ପ୍ରାୟ 30 ଏକରରୁ ଉର୍ଦ୍ଧ ଚାଷଜମି ବାଳିଆପିଟା ଗର୍ଭରେ ଲୀନ ହୋଇସାରିଥିବା ଗ୍ରାମବାସୀ କହିଛନ୍ତି । ଯାହାକି ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବନ୍ୟା ଦାଉରୁ ଗାଁର ଚାଷଜମିକୁ ରକ୍ଷା କରିବା ପାଇଁ ନାଳର ଉଭୟ ପାର୍ଶ୍ଵରେ ପ୍ରୋଟେକ୍ସନ ୱାଲ ଦିଆଯିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।
ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ