ଦେବଗଡ: ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ରାଜ୍ୟବାସୀଙ୍କୁ ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବସୁଧା ଯୋଜନା । କାମରେ ଆସୁନି ପାନୀୟ ଜଳ ପ୍ରକଳ୍ପ । ଜଳ ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ରିଆମାଳ ବ୍ଲକର ଫୁଲସରନାଳୀ ଗାଁରେ ।
ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ଫୁଲସରନାଳୀ ଗାଁରେ 70 ଟି ପରିବାର ବସବାସ କରନ୍ତି । ଏହି ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଗତ ପ୍ରାୟ 2015 ମସିହାରେ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ 40 ଲକ୍ଷ ଟଙ୍କା ବ୍ୟୟରେ ଗାଁରେ ନିର୍ମାଣ କରାଯାଇଥିଲା ବସୁଧା ପାନୀୟ ଜଳ ପ୍ରକଳ୍ପ । ମାତ୍ର ତ୍ରୁଟିପୂର୍ଣ୍ଣ ସର୍ଭେ ଯୋଗୁଁ ପ୍ରକଳ୍ପଟି ଏଯାଏଁ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ଫଳରେ ଗ୍ରାମବାସୀ ପାନୀୟ ଜଳ ମୁନ୍ଦାଏ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି ।
ଅନ୍ୟପକ୍ଷେ ସମ୍ପୃକ୍ତ ଠିକାଦାର ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ ନିରଵଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ସେପଟେ ହାତ ପାହାନ୍ତାରେ ପାନୀୟ ଜଳ ମୁନ୍ଦାଏ ପାଇବାକୁ ସ୍ବପ୍ନ ଦେଖୁଥିବା ଗ୍ରାମବାସୀଙ୍କ ସ୍ବପ୍ନ ଅଧାରେ ଅଟକି ରହିଯାଇଛି । ପାନୀୟ ଜଳ ବିକଳ୍ପ ବ୍ୟବସ୍ଥା ନଥିବାରୁ ଜଳକଷ୍ଟ ଭୋଗୁଥିବା ଗ୍ରାମବାସୀ ଆଜକୁ ସାତବର୍ଷ ହେଲା ଏସମ୍ପର୍କରେ ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ ।
ଗୋଟିଏ ପକ୍ଷରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ଚରମ ଅବହେଳା କାରଣରୁ ଏସମସ୍ତ ଯୋଜନା ବାଟବଣା ହେଉଥିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ