କଟକ: ଶୌଚ ହେବାକୁ ଯାଇ କେନାଲରେ ବୁଡି ଯୁବକ ମୃତ । ଏହି ଅଭାବନୀୟ ଘଟଣା ଘଟିଛି କଟକ ସଦରଥାନା ଅନ୍ତର୍ଗତ ପ୍ରତାପ ନଗରୀ ସ୍ଥିତ କାକଟପୁର ମେନ୍ କେନାଲରେ । ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଥିବା ଜଣାପଡିଛି ।
ମୃତ ଯୁବକ ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହିର ଧ୍ରୁବଚରଣ ସ୍ଵାଇଁଙ୍କ ପୁଅ ବିଭୂତି କୁମାର ସ୍ବାଇଁ । ସେ ତାଙ୍କ ଗାଁ ରୁ ଅନ୍ୟ ଦୁଇ ସାଙ୍ଗ ମାନଙ୍କ ସହିତ ଭୁବନେଶ୍ବର ଫେରୁଥିବା ବେଳେ ଆଜି ଭୋର୍ ୩ଟା ସମୟରେ ପ୍ରତାପନଗରୀ ନିକଟରେ ଶୌଚ ହେବା ପାଇଁ କେନାଲ ଭିତରକୁ ଯାଇଥିବା ସମୟରେ ହଠାତ୍ ଗୋଡ ଖସି ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ ।
ପାଣିର ଗଭୀରତା ଦେଖି ତାଙ୍କ ସାଙ୍ଗମାନେ କେନାଲ ଭିତରକୁ ପଶିବାକୁ ଡରି ଥିଲେ। ପରେ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ କଟକ ସଦର ଥାନା ପୋଲିସ ସମେତ ଓଡ୍ରାଫ ଟିମ୍ ଦିନ ତମାମ ଖୋଜାଖୋଜି କରିଥିଲେ । ପରେ ଦୁର୍ଘଟଣା ଘଟିଥିବା ସ୍ଥାନ ଠାରୁ ୧ କିଲୋମିଟର ଦୂର ଜଳିପଡା ଠାରେ ମୃତଦେହ ଉଦ୍ଧାର କରାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ