କଟକ: ରେଡକ୍ରସ୍ ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ରୋଗୀଙ୍କୁ ଭୁଲ ରକ୍ତ ଦେବା ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନିର୍ଦ୍ଦେଶକ ଚନ୍ଦ୍ରିକା ପ୍ରସାଦ ଦାସ । ଏହି ଘଟଣାରେ ଯଦି ରେଡକ୍ରସ୍ର ତ୍ରୁଟି ଥାଏ ତେବେ ଅତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ରକ୍ତ ବଦଳିଥିବା ନେଇ ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ରିପୋର୍ଟ ମଗାଯାଇଥିଲା । କିନ୍ତୁ ସେ ରିପୋର୍ଟ ଦେଇ ନଥିବା କହିଛନ୍ତି ଚନ୍ଦ୍ରିକା ଦାସ । ତାଙ୍କଠାରୁ ରିପୋର୍ଟ ପାଇବା ପରେ ତୁରନ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ରେଡକ୍ରସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଚନ୍ଦ୍ରିକା ଦାସ କହିଛନ୍ତି ।
ପ୍ରକାଶ ଥାଉକି, କଟକର ଏକ ଘରୋଇ ଡାକ୍ତରଖାନାରେ ବିଭୂତି ଭୂଷଣ ଜେନା ନାମକ ଜଣେ ବୟସ୍କ ବ୍ୟକ୍ତି ଚିକିତ୍ସିତ ହେଉଥିଲେ । ଅସୁସ୍ଥତା ଓ ହେମୋଗ୍ଲୋବିନ୍ କମିଯିବା କାରଣରୁ ବିଭୂତିଙ୍କୁ A ପଜିଟିଭ ରକ୍ତର ଆବଶ୍ୟକତା ପଡ଼ିଥିଲା । ପରିବାର ଲୋକେ ରେଡକ୍ରସ୍ ବ୍ଲଡ୍ ବ୍ୟାଙ୍କରୁ A ପଜିଟିଭ ରକ୍ତ ଆଣିଥିଲେ । ଯେତେବେଳେ ବିଭୂତିଙ୍କ ଶରୀରରେ ରକ୍ତ ଚଢ଼ା ଯାଇଥିଲା, ସେତେବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ଏହାପରେ ନର୍ସିଂହୋମ କର୍ତ୍ତୃପକ୍ଷ ରକ୍ତର ଗ୍ରୁପ୍ ଟେଷ୍ଟ୍ କରିଥିଲେ । ସେତେବେଳେ ଜାଣିବାକୁ ପାଇଥିଲେ ଯେ, ଏହା B ପଜିଟିଭ ରକ୍ତ । ତେବେ ରକ୍ତ ବ୍ୟାଗରେ A ପଜିଟିଭ ଲେଖାଥିବା ବେଳେ ଭିତରେ B ପଜିଟିଭ ରକ୍ତ ରହିଥିଲା । ଏହାପରେ ରୋଗୀଙ୍କ ପୁଅ ଓ ଘରୋଇ ହସ୍ପିଟାଲର କର୍ମଚାରୀ ବ୍ଲଡ୍ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ । ଏମିତିକି ଲାଇଭ୍ ଟେଷ୍ଟ ପାଇଁ ମଧ୍ୟ କହିଥିଲେ । କିନ୍ତୁ ରେଡକ୍ରସ୍ ପକ୍ଷରୁ ତାଙ୍କୁ କୌଣସି ସହଯୋଗ କରାଯାଇନଥିବା ସେମାନେ ଅଭିଯୋଗ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ଭୁଲ ରକ୍ତ ନେଇ ରୋଗୀ ଗୁରୁତର ! ରେଡ଼କ୍ରସ୍ ବ୍ଲଡ୍ ବ୍ୟାଙ୍କରୁ ଆସିଲା ସାଙ୍ଘାତିକ ଅଭିଯୋଗ
ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ତେବେ ରେଡକ୍ରସ୍ର ଏଭଳି ଗୁରୁତର ଅବହେଳାକୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବରୁ ରେଡକ୍ରସ୍ ବ୍ଲଡ଼ ସେଣ୍ଟରେ ବ୍ଲଡ଼ ବ୍ୟାଙ୍କରୁ ରକ୍ତ ଯୋଗାଇ ଦେବା ନାଁରେ ୧୪୦୦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଗିରଫ ହୋଇଛନ୍ତି ଦଲାଲ । ଗୋଟିଏ ପଟେ ରକ୍ତ ଦଲାଲ ସକ୍ରିୟ ଥିଲା ବେଳେ ଅନ୍ୟପଟେ ଗ୍ରୁପ ପରିବର୍ତ୍ତନ ନିଶ୍ଚୟ ରୂପେ କେଉଁଠି ନା କେଉଁଠି ଲୋକଙ୍କ ମଧ୍ୟରେ ଥବା ଭରସାକୁ ଶେଷ କରି ଦେଉଛି ।
ଇଟିଭି ଭାରତ, କଟକ