ନିଆଳି: ଧର୍ମର ମାସ କାର୍ତ୍ତିକ ମାସ । ଗାଁରୁ ଠୁ ସହର ପର୍ଯ୍ୟନ୍ତ ସମସ୍ତେ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି । ସେହିପରି ଏହି ଧର୍ମମାସ ପାଳୁଥିବା ଶ୍ରଦ୍ଧାଳୁ ଏକ ମାସ ଆମିଷକୁ ବାରଣ କରି ସାତ୍ତ୍ବିକ ଭୋଜନ ଗ୍ରହଣ କରନ୍ତି । ଏହି ମାସର ଶେଷ ୫ଦିନ ବ୍ରତ ରଖାଯାଏ, ଯାହାକୁ ପଞ୍ଚୁକ କୁହାଯାଏ । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି ।
ଗତକାଲିଠୁ ପଞ୍ଚୁକ ଆରମ୍ଭ ହୋଇଯାଇଥିବାବେଳେ ଏନେଇ ଗାଁ ଗୁଡିକରେ ଏବେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଗତକାଲି ବ୍ରତଧାରୀମାନେ ସକାଳୁ ଉଠି ସ୍ନାନ ସାରି ଚଉରା ମୂଳେ ହବିଷ୍ୟ କରିଥିଲେ । ତେବେ ପଞ୍ଚୁକ ଆରମ୍ଭରୁ ଗାଁ ଓ ଗଣ୍ତାରେ କାର୍ତ୍ତିକେଶ୍ବରଙ୍କ ପୂଜାର୍ଚ୍ଚନା ମଧ୍ୟ କରାଯାଏ । ଏନେଇ ଗତକାଲି ଠାରୁ ନିମାପଡ଼ା ବ୍ଲକର ଗଡ଼ ଇଟାପୋଖରି ଗ୍ରାମବାସୀଙ୍କ ଦ୍ବାରା କାର୍ତ୍ତିକେଶ୍ବରଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ଫଳରେ ମଣ୍ଡପ ଗୁଡିକରେ ଭକ୍ତଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ