କଟକ: ହକ୍ ପାଇଁ ଶ୍ବଶୂର ଘର ଆଗରେ ବୋହୂର ଧାରଣା । କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଗାଁର ସନାତନ ମହାରଣାଙ୍କ ପୁଅ ସୁଶେନ ମହାରଣା, ଢେଙ୍କାନାଳ ଜିଲ୍ଲାର ସତ୍ୟ ନାରାୟଣ ମହାରଣାଙ୍କ ଝିଅ ସସ୍ମିତାଙ୍କୁ ବୈଦିକ ରୀତିରେ 2020 ମସିହା ଜୁଲାଇ ମାସ 13 ତାରିଖରେ ବିବାହ କରିଥିଲେ । ହେଲେ ବିବାହ ସମୟରେ ଶ୍ବଶୂର ଘର ଲୋକଙ୍କ ଦାବି ମୁତାବକ ଯୌତୁକ ଦେଇଥିବା ସସ୍ମିତା କହିଛନ୍ତି ।
ଅନ୍ୟପଟେ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ମାଗିବା ଆରମ୍ଭ କରିଥିଲେ ଓ ଶ୍ବଶୂର ସନାତନ ମହାରଣା ବୋହୂ ଉପରେ ଖରାପ ନଜର ପକାଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ସସ୍ମିତା ତାଙ୍କ ଶ୍ବଶୁରଙ୍କ ବିରୋଧରେ ଅଭିଯୋଗ ଆଣି ସାଲେପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ହେଲେ ସାଲେପୁର ପୋଲିସ ସସ୍ମିତାଙ୍କୁ ନ୍ୟାୟ ଦେବାରେ ବିଳମ୍ବ କରୁଥିବାରୁ ବାଧ୍ୟ ହୋଇ ସସ୍ମିତା ଶଶୁର ଘର ସମ୍ମୁଖରେ କିଛି ସ୍ଥାନୀୟ ମହିଳାମାନଙ୍କୁ ନେଇ ଧାରଣାରେ ବସିଛନ୍ତି । ତେବେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି ସସ୍ମିତା । ଅନ୍ୟପଟେ ସସ୍ମିତାଙ୍କ ଅଭିଯୋଗ ଉପରେ ଆମେ ତାଙ୍କ ଶ୍ବଶୁର ଘର ଲୋକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନାହିଁ ।
ଇଟିଭି ଭାରତ, କଟକ