କଟକ: ଆରପାରିରେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଲେଖକ ନଦୀୟା ବିହାରୀ ମହାନ୍ତି । ଗତ 2 ଦିନ ତଳେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ସେ । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ମଙ୍ଗଳାବାଗ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗ ନେଇ ନଦୀୟା ବିହାରୀଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।
୨୦୧୩ ମସିହାରେ ତାଙ୍କୁ ଶିଶୁ ସାହିତ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ନଦୀୟା ବିହାରୀ ମହାନ୍ତି । ସେ ଜଣେ ବେତାର କଳାକାର ଭାବରେ ମଧ୍ୟ ବେଶ ପରିଚିତ । ଆକାଶବାଣୀ କଟକର ଶିଶୁ ସଂସାର କାର୍ଯ୍ୟକ୍ରମର 'ବଡ଼ ଭାଇ' ଭୂମିକାରେ ସେ ବହୁ ବର୍ଷ ଧରି ଅଭିନୟ କରିଥିଲେ । ସେଥିପାଇଁ ସମସ୍ତେ ତାଙ୍କୁ ଆଦରରେ 'ବଡ଼ ଭାଇ' ବୋଲି ସମ୍ବୋଧନ କରୁଥିଲେ । ଅଭିନୟ ସହିତ ଶିଶୁ ସଂସାର, ଚକା ଚକା ଭଁଉରୀ, କିଶୋର ଚକ୍ର ଆଦି କାର୍ଯ୍ୟକ୍ରମରେ ସେ ବୀଣାପାଣି ମହାନ୍ତିଙ୍କ ସହିତ ପ୍ରଯୋଜନା ମଧ୍ୟ କରୁଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ