କଟକ: ଦୁଇ ବର୍ଷ ପରେ ପୁଣି କଟକକୁ ଫେରିବ ବୈଶାଖୀ ବାଣିଜ୍ୟ ମେଳା । ଆସନ୍ତା ମେ ମାସ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏହି ମେଳା । ୬ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ । ଐତିହାସିକ କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ହେଉଥିବା ଏହି ମେଳାରେ ପୂର୍ବବର୍ଷ ଗୁଡିକ ଭଳି ଚଳିତ ବର୍ଷ ମଧ୍ୟ ଦେଶର ବିଭିନ୍ନ ଭାଗରୁ ବ୍ୟବସାୟୀମାନେ ଅଂଶଗ୍ରହଣ କରିବେ । ମୋଟ ୪୫୦ ଷ୍ଟଲ ଏହି ମେଳାରେ ରହିବାକୁ ଥିବା ବେଳେ ସେଥିମଧ୍ୟରୁ ୩୭୦ SHG ଗ୍ରୁପ ପକ୍ଷରୁ କରାଯିବ ।
ଉତ୍ତର ପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜମ୍ମୁକାଶ୍ମୀର ଆଦି ରାଜ୍ୟରୁ ବ୍ୟବସାୟୀମାନେ ସେମାନଙ୍କ ରାଜ୍ୟର କାରିଗର ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଏଠାରେ ପ୍ରଦର୍ଶନ ଓ ବିକ୍ରୟ କରିବେ । ତାସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଏସଏସଜି ଏବଂ ବ୍ୟବସାୟୀ ଅଂଶଗ୍ରହଣ କରିବେ । ଏସବୁ ସହିତ କଟକ ବୈଶାଖୀ ବାଣିଜ୍ୟ ମେଳା ପରିସରରେ ଥିବା ମଞ୍ଚରେ ପ୍ରତି ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାରମାନେ ସେମାନଙ୍କର କଳା ପ୍ରଦର୍ଶନ କରିବେ ।
ପୂର୍ବରୁ COVID-19 ମହାମାରୀ କାରଣରୁ କଟକ ବୈଶାଖୀ ବାଣିଜ୍ୟ ମେଳା ଗତ ଦୁଇବର୍ଷ ଧରି ବନ୍ଦ ରହିଥିଲା । ଦୁଇବର୍ଷ ପରେ କୋଭିଡ ପରିସ୍ଥିତିରେ ସୁଧାର ଆସିଥିବାବେଳେ ଚଳିତ ବର୍ଷ ମେଳା ଆୟୋଜନ କରାଯାଉଛି । ତେବେ ପରିବାରର ସ୍ଵାସ୍ଥ୍ୟଗତ ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁପାଳନ କରି ମେଳା ପରିସରରେ ନିଶ୍ଚିତ ଭାବରେ ସମସ୍ତେ ମାସ୍କ ପରିଧାନ କରିବାକୁ ନିବେଦନ କରିଛନ୍ତି ଆୟୋଜକ କମିଟି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ