କଟକ: ରାଜ୍ୟରେ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ କଟକ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତବୃଦ୍ଧି ଘଟୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ 14 ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଯାହା ଆସନ୍ତା ଜୁଲାଇ 31ରେ ଶେଷ ହେବ ।
ସେପଟେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତବୃଦ୍ଧିକୁ ଦୃଷ୍ଟିରେ ରଖି କଡାକଡି ହେଉଛି ଏନଫୋର୍ସମେଣ୍ଟ । ଯେଉଁଟି ବି ଭିଡ଼ ରହୁଛି ସେଠି ତୁରନ୍ତ ପହଞ୍ଚୁଛି ଟିମ । ଆଉ ବ୍ୟବସାୟୀ ଗଣୁଛନ୍ତି ଫାଇନ । ତେବେ ଏହି 2ରୁ 3 ମାସ ମଧ୍ୟରେ 5 ଲକ୍ଷରୁ ଊର୍ଦ୍ଧ୍ବ ଫାଇନ ସଂଗ୍ରହ କରିଛି ସିଏମସି । ତେବେ ଏହା ବଦଳରେ ଲୋକେ ଯଦି ସଚେତନ ହେବେ ତେବେ ତଣ୍ଡ ବି ଆଉ ଗଣିବେନି ବୋଲି କହିଛନ୍ତି ସିଏମସିର ଡେପ୍ୟୁଟି କମିଶନର ।
ସେ ଏହା ମଧ୍ୟ କହିଛନ୍ତି ଯେ, କୋରୋନା ସଙ୍କଟ ସମୟରେ ବର୍ତ୍ତମାନ ଅର୍ଥନୀତି ଦିଗରେ ଲୋକମାନେ ମଜଭୁତ ନାହାନ୍ତି । ଆମ ଲକ୍ଷ୍ୟ ଲୋକଙ୍କୁ ସଚେତନ କରିବା, ସେମାନଙ୍କ ଠୁ ତଣ୍ଡ ଆଦାୟ କରିବା ନୁହେଁ । ଅମାନିଆମାନେ ନିଜେ ସଚେତନ ହେବା ସହ ଲକଡାଉନ ନିୟମକୁ ପାଳନ କରି କୋରୋନା ବିପକ୍ଷରେ ଏକ ବିଜୟ ହାସଲ କରନ୍ତୁ ।
ପ୍ରକାଶ ଥାଉ କି, ଗୁରୁବାର ଜିଲ୍ଲାରେ 97 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଯାବତ୍ ଜିଲ୍ଲାରେ 2,043 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି 11 ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ 1219 ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ଏବେ ବି 810ଟି ମାମଲା ସକ୍ରିୟ ରହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ