କଟକ: ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ବସ୍ତି । ସାଂସଦ ଏବଂ ବିଧାୟକଙ୍କ ପାଇଁ ଗଠିତ ସ୍ୱତନ୍ତ୍ର ବେଞ୍ଚରେ ମାମଲାର ଶୁଣାଣି ହେବ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି କୋର୍ଟ । ବାରବାଟୀ ବିଧାୟକ ମହମ୍ମଦ ମୋକିମ ଭିଜିଲାନ୍ସ ମାମଲାରେ ଦଣ୍ଡିତ ହେବା ଯୋଗୁଁ ସଭ୍ୟପଦ ରଦ୍ଦ କରିବାକୁ କୋର୍ଟରେ ଆବେଦନ ହୋଇଥିଲା । ମୋକିମଙ୍କ ବିଧାୟକ ପଦ ରଦ୍ଦ ପ୍ରସଙ୍ଗରେ ଭିଜିଲାନ୍ସ କୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଲଗାଇଥିଲେ । ଯାହାର ତ୍ୱରିତ ଶୁଣାଣୀ ପାଇଁ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା।
ମୋକିମ ଦାଖଲ କରିଥିବା କ୍ରିମିନାଲ ଅପିଲର ଅଗ୍ରଗତି ନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ ହାଇକୋର୍ଟ । "ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦଣ୍ଡାଦେଶ କରିବା ସତ୍ତ୍ୱେ କାହିଁକି ତାଙ୍କର ବିଧାୟକ ପଦ ରଦ୍ଦ କରାଗଲା ନାହିଁ ?" ପ୍ରାର୍ଥନା କରି ଡାକ୍ତର ରବି ରଞ୍ଜନ ସାହୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ସଭ୍ୟପଦ ରଦ୍ଦ କରିବା ନେଇ ହୋଇଥିବା ଆବେଦନର ଶୁଣାଣି ବେଳେ "ମୋକିମଙ୍କ ପକ୍ଷରୁ ଦାୟର ହୋଇଥିବା କ୍ରିମିନାଲ ଅପିଲ କେସର ଷ୍ଟାଟସ କଣ ?" ତାହା ଜାଣିବାକୁ ଚାହିଁଥିଲେ କୋର୍ଟ । ତେଣୁ ପରବର୍ତ୍ତୀ ତାରିଖ ସୁଦ୍ଧା କେସର ଷ୍ଟାଟସ ରିପୋର୍ଟ ଦେବାପାଇଁ ସରକାରୀ ପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହୁଡ଼କୋ ଲୋନ ଅନିୟମିତତା ମାମଲାରେ ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦଣ୍ଡିତ କରିଥିଲେ । ଏନେଇ ନିର୍ଦ୍ଦେଶନାମା ଆସିବା ପରେ ମୋକିମଙ୍କ ସଭ୍ୟପଦ ରଦ୍ଦ ହେବାର ସମ୍ଭାବନା ମଧ୍ୟ ବଢିଥିଲା ।
ଏହା ବି ପଢନ୍ତୁ...ଉଚ୍ଚ ଅଭିଳାଷ ମୂଳରୁ ନାଶ; ଗୋଷ୍ଠୀ ବୈଠକକୁ ନାପସନ୍ଦ କଲେ ସୁର
ତେବେ ଏହି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ପ୍ରାରମ୍ଭିକ ଶୁଣାଣି କରି, ଭିଜିଲାନ୍ସ କୋର୍ଟଙ୍କ ଆଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ । ତେବେ ମୋକିମଙ୍କ ସଭ୍ୟପଦ ରଦ୍ଦ ହେବା ଆବଶ୍ୟକ ବୋଲି ନିଜ ପିଟିସନରେ ଉଲ୍ଲେଖ କରି ଡାକ୍ତର ରବି ରଞ୍ଜନ ସାହୁ ଏକ ମାମଲା ଦାୟର କରିଥିଲେ । ଯାହା ଉପରେ ତ୍ୱରିତ ଶୁଣାଣି ହେବାର ଆବଶ୍ୟକତା ଅଛି ବୋଲି ଶୁଣାଣି ସମୟରେ ପ୍ରଶ୍ନ ଉଠାଇଥିଲେ ଆବେଦନକାରୀ । ଯାହାକୁ ଆଧାର କରି ଆଜି ସରକାରୀ ପକ୍ଷଙ୍କୁ ମାମଲାର ସ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।
ହାଇକୋର୍ଟରେ ମହମ୍ମଦ ମୋକିମଙ୍କ ଓଏଚଆରଡିସି ଋଣ ଦୁର୍ନୀତି ନେଇ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଶେଷରେ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। "ଜନସ୍ୱାର୍ଥ ମାମଲାକୁ ହତିଆର ଭାବେ ବ୍ୟବହାର କରି ହେବ ନାହିଁ। ଏଭଳି ମାମଲା ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣୀୟ ନୁହେଁ । ବିଧାୟକ ଏବଂ ସାଂସଦଙ୍କ ମାମଲା ଶୁଣାଣି ପାଇଁ ହାଇକୋର୍ଟରେ ସ୍ୱତନ୍ତ୍ର ଖଣ୍ଡପୀଠ ରହିଛନ୍ତି । ସେହି ଖଣ୍ଡପୀଠରେ ହିଁ ସେଭଳି ମାମଲା ରୁଜ୍ଜୁ ପାଇଁ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, କଟକ