ନିଆଳି: କଟକ ଜିଲ୍ଲା ନିଆଳି ବ୍ଲକ ସମ୍ମୁଖରେ ଉଭୟ ଶାସକ ଓ ବିରୋଧି ଦଳର ଧାରଣା । ଗୋଟିଏ ପଟେ ନିଆଳି ବ୍ଳକରେ ଦୁର୍ନୀତି ବିରୋଧରେ ବିଜେପି ନେତା ଛବି ମଲ୍ଲିକ ନେତୃତ୍ବରେ ଧାରଣା ଚାଲିଥିବାବେଳେ ଅନ୍ୟପଟେ ଶାସକ ଦଳ ବିଜେଡି ପକ୍ଷରୁ ବିଜେପି ବିରୋଧରେ ଧାରଣା ଦିଆଯାଇଛି । ତେବେ ଶାସକ ଓ ବିରୋଧି ମଧ୍ୟରେ ଏହାକୁ ଆଟାକ୍ ଓ କାଉଣ୍ଟର ଆଟାକ୍ ବୋଲି ସାଧାରଣରେ ଶୁଣିବାକୁ ମିଳିଛି ।
ସୂଚନା ଅନୁସାରେ ଦୀର୍ଘ ବର୍ଷ ହେବ ନିଆଳି ପଞ୍ଚାୟତ ସମିତି ବିଜେଡି ଦଖଲରେ ରହି ଆସିଛି । ଫଳରେ ବିଭିନ୍ନ ସରକାରୀ ଜନ କଲ୍ୟାଣକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ବିରୋଧୀ ବିଜେପି ବହୁ ଦିନରୁ ଧାରଣା ଓ ଦାବିପତ୍ର ଦେଇଆସୁଛି । ତେବେ ଆଜି ଧାରଣାସ୍ଥଳକୁ ବିଜେପି ଆସିବା ପୂର୍ବରୁ ଶାସକ ଦଳ ବିଜେଡି କାଉଣ୍ଟର ଆଟାକ ସ୍ବରୂପ ପ୍ରଶାସନ ଅଧିକାରୀ ଓ ସରକାରୀ ସମ୍ପତ୍ତି ସୁରକ୍ଷା ଦାବିରେ ବିଜେପି ବିରୋଧରେ ଧାରଣା ଦେଇଛି । ସେପଟେ ବିଜେପି ମଧ୍ୟ ୮ ଦଫା ଦାବିରେ ଧାରଣା ଦେଇଛି ।
ଗୋଟିଏ ସ୍ଥାନରେ ଉଭୟ ଦଳର ଧାରଣା ଯୋଗୁଁ କିଛି ସମୟ ପାଇଁ ନିଆଳି ବ୍ଲକ ସମ୍ମୁଖରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ତେବେ ନିଆଳି ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଧାରଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି । ଏନେଇ ପୋଲିସ ଡାକବାଜି ଯନ୍ତ୍ର ସାହାଯ୍ୟରେ ସମସ୍ତଙ୍କୁ ଅବଗତ କରିଛି । ସେପଟେ ଶାସକ ଓ ବିରୋଧି ଦଳର ଧାରଣା ଜାରି ରହିଥିବାବେଳେ ଉଭୟ ଦଳର ନେତା ପ୍ରତିକ୍ରିୟା ରଖିଛନ୍ତି ।
ଇଟିଭି ଭାରତ, ନିଆଳି