ନିଆଳି: ରାଜ୍ୟ ରାଜକୋଷକୁ ଖୋଳ କରିଦେଲେ ବାଲି ମାଫିଆ । କୋଟି କୋଟି ଟଙ୍କାର ବାଲି ଚୋରାରେ ବିକ୍ରି କରି ହେଲେ ମାଲାମାଲ । ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅଧୀନ ନଦୀନାଳକୁ ବାଲି ମାଫିଆମାନେ ନିଜ କବ୍ଜାକୁ ନେଇଛନ୍ତି । ତେବେ ବାରମ୍ବାର ଅଭିଯୋଗ ହେବା ପରେ ବାଲିପାଟଣା ତହସିଲ ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ଦୁଇଟି ଯାକ ଘାଟରେ ଅତର୍କିତ ଚଢ଼ାଉ କରାଯାଇଛି । ଘାଟରେ ୧୪୪ ଧାରା ଜାରି କରାଯିବା ସହ ନାଲି ପତାକା ମରାଯାଇଥିବା ଦେଖିବାକୁ ମିଳିଛି ।
ବାଲି ମାଫିଆମାନେ ଧାର୍ଯ୍ୟ ଦେୟ ପୈଠ ନକରି ବେଧଡ଼କ ବାଲି ବୋହି ନେବା ସହ ବାଲିଘାଟରେ ମେସିନ ଲଗାଇବାର ନିୟମ ନଥିବା ବେଳେ ପ୍ରାୟ ସମସ୍ତ ବାଲିଘାଟରେ ଏକାଧିକ ମେସିନ ଦିନରାତି ବାଲି ଖୋଳି ଚାଲିଥିବା ଅଭିଯୋଗ ହୋଇଥିଲା । ବାଲି ବୋଝେଇ ଓଭରଲୋଡିଂ ଗାଡ଼ିଗୁଡ଼ିକ ମଧ୍ୟ ଦିନରାତି ଯାତାୟାତ କରିବା ଦ୍ବାରା ନଦୀବନ୍ଧ ଦୁର୍ବଳ ହେବା ସହ ରାସ୍ତାଘାଟ ଭାଙ୍ଗି ନଷ୍ଟ ହେଉଛି । ଆଉ ତହସିଲ ପ୍ରଶାସନ ବିକାଶ ଆଳରେ ପରିବେଶ ଓ ପରିସ୍ଥିତିକୁ ଲକ୍ଷ୍ୟ ନକରି ଦୀର୍ଘ ଦିନ ହେବ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଥିଲା ।
ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହୋଇ ବାରମ୍ବାର ଅଭିଯୋଗ ହେବା ପରେ ଏବେ ଯାଇ ପ୍ରଶାସନର ନିଦ ଭାଙ୍ଗିଛି । ବାଲିପାଟଣା ତହସିଲ ଅଧୀନ ସୋମଣା ଶାସନ ଏବଂ ଅଚ୍ୟୁତପୁରରେ ଥିବା ବାଲିଘାଟର ଅବଧି ଶେଷ ହୋଇଛି । ଧାର୍ଯ୍ୟ ବକେୟା ଦେୟ ପୈଠ କରିନଥିବା ବେଳେ ଦୀର୍ଘ ଦିନ ହେବ ଶହ ଶହ ଟ୍ରିପ ବାଲି ହରିଲୁଟ ହେଉଥିଲା । ଗତକାଲି ବାଲିପାଟଣା ତହସିଲ ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ୨ଟି ଯାକ ଘାଟରେ ଅତର୍କିତ ଚଢ଼ାଉ କରାଯାଇଥିଲା ।
ଏହାପରେ ବାଲିଘାଟରେ ୧୪୪ ଧାରା ଜାରି କରାଯିବା ସହ ନାଲି ପତାକା ମରାଯାଇଛି । ନଦୀ ଭିତରେ ବାଲି ଚାଲାଣ ପାଇଁ ଥିବା ରାସ୍ତାକୁ ବିଭିନ୍ନ କରାଯିବା ସହ ଗୋଟିଏ ଜେସିବି, ଗୋଟିଏ ହାଇୱା, ଗୋଟିଏ ଟ୍ରାକ୍ଟର ଜବତ କରାଯାଇଛି ବୋଲି ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ସୂଚନା ଦେଇଛନ୍ତି । ତହସିଲଦାରଙ୍କ ଦ୍ବାରା ନିଆଯାଇଥିବା ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ