କଟକ: ହୁ ହୁ ହୋଇ ବଢୁଛି ଖାଇବା ତେଲ ଦର । ଯେଉଁ ତେଲ ଦର କିଛି ଦିନ ପୂର୍ବେ ସ୍ୱାଭାବିକ ଥିଲା ତାହା ବୃଦ୍ଧି ପାଇଛି । ଖାଇବା ତେଲ ଲିଟର ପିଛା ୨୦ରୁ ୨୫ ଟଙ୍କା ବୃଦ୍ଧି ପାଇଛି । ସ୍ଥିତି ଏପରି ହୋଇଛି ଯେ, କିଛି ଅସାଧୁ ବ୍ୟବସାୟୀ MRP ଦର ଠାରୁ ଅଧିକ ଦରରେ ବିକ୍ରୟ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ମାଲଗୋଦାମରେ MRP ଠାରୁ ଅଧିକ ଦରରେ ବିକ୍ରୟ ହେଉଥିବା ଜଣାପଡିଛି ।
ତେବେ ଏନେଇ ମାଲଗୋଦାମ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଛାଟୋଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଏଭଳି ସ୍ଥିତି ଉପୁଜିଛି । ଯଦିଓ ପର୍ଯ୍ୟାପ୍ତ ପରିମାଣର ତେଲର ଆମଦାନୀ ହେଉଛି, ତଥାପି ଦର ବୃଦ୍ଧି ପାଉଥିବା ସେ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତେଲର MRP ଦର ପୂର୍ବରୁ ଯାହା ଥିଲା ତାହା ବୃଦ୍ଧି ପାଇନାହିଁ । ମାତ୍ର ବ୍ୟବସାୟୀ ମାନେ ଜାଣିଶୁଣି ଏପରି ବୃଦ୍ଧି କରୁଥିବା ଚର୍ଚ୍ଚା ହେଉଛି । ଏନେଇ ଯୋଗାଣ ବିଭାଗ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଖାଇବା ତେଲ ଦର ଆହୁରି ବୃଦ୍ଧି ପାଇପାରେ ବୋଲି ମାଲଗୋଦାମ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ