କଟକ: ଅତିଷ୍ଠ କଲା ପାରିବାରିକ ବିବାଦ । ଆତ୍ମହତ୍ୟା କରିବାକୁ ରେଳ ଧାରଣାରେ ଛିଡା ହୋଇଥିଲେ ମହିଳା । ଟ୍ରେନ ଆସିବା ପୂର୍ବରୁ ମହିଳାଙ୍କ ଜୀବନ ବଞ୍ଚାଇ ଦେଲେ RPF ପୋଲିସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ରେଳ ଷ୍ଟେସନରେ । ମହିଳାଙ୍କ ଜଣଙ୍କ ଚାଉଳିଆଗଞ୍ଜ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଚାଉଳିଆଗଞ୍ଜ ଅଞ୍ଚଳର ମହିଳା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ କଳହ ହୋଇଥିଲା । ଏଥିରେ ଅତିଷ୍ଠ ହୋଇ ମହିଳା ଜଣଙ୍କ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ କଟକ ରେଳ ଷ୍ଟେସନର ଏକ ନମ୍ବର ଟ୍ରାକ ଉପରେ ନିଜ ପିଲାକୁ ଧରି ଆତ୍ମହତ୍ୟା କରିବା ପାଇଁ ଛିଡା ହୋଇଥିଲେ। ସେହି ସମୟରେ ଉକ୍ତ ଟ୍ରାକରେ ପୁରୀ ଦୁର୍ଗ ଏକ୍ସପ୍ରେସ ଟ୍ରେନ ଭୁବନେଶ୍ୱର ପଟୁ ଆସୁଥିଲା।
ହେଲେ ସେତିକିବେଳେ ମହିଳାଙ୍କ ଉପରେ ଆରପିଏଫ ପୋଲିସ ଏସଆଇ ରୋଜି ମହାନନ୍ଦ ଓ କିଛି କନଷ୍ଟେବଳଙ୍କ ନଜର ପଡ଼ି ଯାଇଥିଲା। ସେମାନେ ତୁରନ୍ତ ଯାଇ ଉକ୍ତ ଟ୍ରାକରୁ ମହିଳା ଓ ତାଙ୍କ ପିଲାକୁ ଉଦ୍ଧାର କରି ଆଣି ବୁଝାସୁଝା କରିଥିଲେ। ମହିଳା ଜଣକ ଚାଉଳିଆଗଞ୍ଜ ଅଞ୍ଚଳର ଓ ସେ ସ୍ବାମୀ ସହ ଝଗଡା ହେବାରୁ ଆତ୍ମହତ୍ୟା କରିବାକୁ ଆସିଥିଲେ ବୋଲି କହିଥିଲେ। ତେବେ କାଉନସେଲିଂ ପରେ ତାଙ୍କୁ ତାଙ୍କ ସ୍ୱାମୀଙ୍କ ଜିମାରେ ଦେଇଛି ପୋଲିସ।
ଏହା ମଧ୍ଯ ପଢନ୍ତୁ-ସ୍ଵଭାବ ଛାଡୁନାହାନ୍ତି ବିଜେଡି ନେତା, ସାଂସଦ ରମେଶ ମାଝୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ: କଂଗ୍ରେସ
ତେବେ ଚଳିତ ବର୍ଷ ଆତ୍ମହତ୍ୟାଜନିତ ମୃତ୍ୟୁ ଖବର ଅନେକ ସାମ୍ନାକୁ ଆସିଛି । ପାରିବପାରିବ ବିବାଦ, ପ୍ରେମରେ ଧୋକାକୁ ନେଇ ଅନେକ ଜୀବନ ହାରିଛନ୍ତି । ତେବେ ସାମାନ୍ୟ ବଚସାକୁ ନେଇ ଆଜିର ଯୁବପିଢିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଦେଖିବାକୁ ମିଳିଥିବା ବେଳେ ଏକ୍ଷେତ୍ରରେ ଏବେ ସଚେତନ ହେବା ଆବଶ୍ୟକତା ରହିଛି । ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି ।
ଇଟିଭି ଭାରତ, କଟକ