ନିଆଳି: ସମ୍ପତ୍ତି ପାଇଁ ସବୁ ସୀମା ଟପିଗଲା ମଣିଷ । ଜମିବାଡିକୁ ନେଇ କିଏ ନିଜ ଭାଇକୁ ହତ୍ୟା କଲାଣି ତ କିଏ ନିଜ ବାପାକୁ । ଦିନକୁ ଦିନ ସମ୍ପତ୍ତି ପାଇଁ ମଣିଷ ନିଜ ମାନବିକତା ହରେଇବାକୁ ବସିଛି । ତେବେ ଏମିତି କିଛି ବର୍ବରତାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଗୋଟଏ ବୃଦ୍ଧ ଲୋକକୁ ନିର୍ମମ ଭାବେ ମାଡ଼ ମାରୁଛନ୍ତି କିଛି ଲୋକେ । ଭିଡିଓ ଭାଇରାଲ ହେବା ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁସାରେ ଏହି ଭିଡିଓଟି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବନମାଳୀପୁର ବଜାରର । କରୁଣାକର ବେହେରା ନାମକ ବୃଦ୍ଧଙ୍କୁ ଚାରି ଜଣ ବ୍ୟକ୍ତି ଅତି ନିଷ୍ଠୁର ଭାବରେ ମାଡ଼ ମାରୁଥିବା ଦେଖା ଯାଇଛି । କେହି ବି ବୃଦ୍ଧ ଜଣଙ୍କୁ ଉଦ୍ଧାର କରୁନାହାନ୍ତି । କେହି ଜଣେ ବ୍ୟକ୍ତି ଏହାର ସମ୍ପୂର୍ଣ୍ଣ ଦୃଶ୍ୟ ମୋବାଇଲରେ ରେକର୍ଡ କରି ଭାଇରାଲ କରିବା ପରେ ସତ ସାମ୍ନାକୁ ଆସିଛି । ପରିବାର ଜମିଜମା ସମ୍ପର୍କିତ ଘଟଣାକୁ ନେଇ ବୃଦ୍ଧ ଜଣଙ୍କୁ ଅତି ଅମାନୁଷିକ ଭାବରେ ପିଟୁଛନ୍ତି । ବୃଦ୍ଧା ଜଣଙ୍କୁ ସମ୍ପତ୍ତି ବିବାଦକୁ ନେଇ ତାଙ୍କ ଭାଇ ଓ ପୁତୁରା ମାରୁଥିବା ଜଣାପଡିଛି ।
ମଣିଷ ସମାଜ ଆଜି କେଉଁ ସ୍ତରକୁ ଚାଲି ଯାଇଛନ୍ତି ଏହି ଭିଡିଓ ହିଁ ବୟାନ କରୁଛି । ସମ୍ପତ୍ତି ଲୋଭରେ ସମ୍ପର୍କୀୟଙ୍କୁ ଲୋକଙ୍କୁ ମାଡ଼ ମାରିବାକୁ ପଛାଉନାହାଁନ୍ତି । ସବୁଠାରୁ ବିଡ଼ମ୍ବନାର ବିଷୟ ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ମଧ୍ୟ ବୃଦ୍ଧ ମାଡ଼ ଖାଉଥିବା ଦୃଶ୍ୟ ଦେଖୁଛନ୍ତି କିନ୍ତୁ କେହି ଜଣେ ପ୍ରତିବାଦ କରୁନାହାନ୍ତି । ବୃଦ୍ଧ ଜଣକ ବାଲିପାଟଣା ଥାନାରେ ଘଟଣା ପରେ ଏତଲା ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣାରେ ସମ୍ପୃକ୍ତ ଚାରି ଜଣଙ୍କ ମଧ୍ୟରୁ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।
କିଛି ଦିନ ତେଳେ ବରଗଡର ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗ୍ରାମରେ ସମ୍ପତ୍ତି ପାଇଁ ପୁତୁରା ସହିତ ପରିବାରର ସମସ୍ତ ଚାରି ଜଣଙ୍କୁ ହତ୍ୟା କରିଥିଲା କକା । ସମ୍ପତ୍ତି ଲୋଭରେ ସମ୍ପର୍କ ଭୁଲିଯାଇ ପୁତୁରା, ପୁତୁରା ବୋହୁ ଓ ତାର ଦୁଇ ପୁଅଝିଅକୁ ହତ୍ୟା କରିଥିଲା । ତେବେ ଏହି ଘଟଣାରେ କେବଳ କକା ନୁହେଁ ତାର ପୁଅ ଓ ପତ୍ନୀ ମଧ୍ୟ ସମ୍ପୃକ୍ତ ଥିଲେ। ଏହି ବର୍ବର ହତ୍ୟାକାଣ୍ଡ ଘଟଣାରେ ପୋଲିସ ଅଭିଯୁକ୍ତ ଶିବର ପତ୍ନୀ ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଇଟିଭି ଭାରତ ନିଆଳି