କଟକ: କୋରୋନାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା । କୋରୋନାର ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି ।
ହାଇକୋର୍ଟର ଆଇନଜୀବୀ ବିଜୟ ରଗଡ ପକ୍ଷରୁ ଦାଏର ମାମଲାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ମୋଟ ୯ଟି ବିଭାଗକୁ ପକ୍ଷ ଭୁକ୍ତ କରାଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୋରୋନାକୁ ଏକ ମହାମାରୀ ଘୋଷଣା କରାଗଲା ପରେ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି । ଏସବୁକୁ ଦୃଷ୍ଟିରେ ରଖି ପରିମଳ ବ୍ୟବସ୍ଥା ସୁଦୃଢ କରିବା ଏବଂ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି ।
ଦେଶ ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ସ୍କ୍ରିନିଂ କରିବା ସହ ବନ୍ଦର ଏବଂ ବିମାନବନ୍ଦର ଉପରେ ସତର୍କ ଦୃଷ୍ଟି ରଖିବାକୁ ଆବେଦନକାରୀ ଉଲ୍ଲେଖ କରିଛନ୍ତି । ବିଭିନ୍ନ ସଭାସମିତି ଉତ୍ସବକୁ ନିଷେଧ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ