କଟକ: ଜିଲ୍ଲା ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ବାଲିଝରି ଗ୍ରାମପଞ୍ଚାୟତର ତ୍ରିନାଥ ହାଟ ପଡ଼ିଆରେ ବିଜେପିର ଏକ ବିଶାଳ ସାଧାରଣ ସଭା ଓ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବରେ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଦି ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକୁ ଜନସାଧାରଣଙ୍କୁ ବୁଝାଇ ଥିଲେ ଉପସ୍ଥିତ ନେତାଏ ।
ବିଜେପିର ଏହି ବିଶାଳ ସଭାରେ ବଡ଼ମ୍ବା ଓ ନରସିଂହପୁର ବ୍ଲକର ବିଭିନ୍ନ ପଞ୍ଚାୟତର ବିଜେଡି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ବିଜେପି ରାଜ୍ୟ ସମ୍ପାଦକ ତଥା କଟକ ଜିଲ୍ଲା ପ୍ରଭାରୀ ଅମର ନାୟକ ଯୋଗ ଦେଇଥିଲେ । ଏହି ସଭାରେ ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରା ସଭାପତିତ୍ବ କରିଥିଲେ ।
ଅନ୍ୟତମ ଅତିଥି ଭାବରେ ଆଠଗଡ଼ର ରାମ ନାରାୟଣ ମହାନ୍ତି ଓ ବଡମ୍ବା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଭୁଦତ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମୋଦି ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟର ଗୁଣଗାନ କରିଥିଲେ । ଆଗକୁ ବଡ଼ମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ