ନିଆଳି : ଝିମିଟି ଖେଳରୁ ମହାଭାରତ । ସାମାନ୍ୟ ବଚସାକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ସିଠାଳୋ ପଞ୍ଚାୟତ ବାଲିକୁଦା ଗାଁରେ । ମୃତ ମହିଳା ଜଣକ ହେଉଛନ୍ତି ବାଲିକୁଦା ଗାଁର ବୀଣାପାଣି ସ୍ୱାଇଁ ବୋଲି ଜଣାପଡ଼ିଛି । ତେବେ ଏନେଇ ଅଭିଯୋଗ ପରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା ସିଠାଳୋ ପଞ୍ଚାୟତ ବାଲିକୁଦା ଗାଁର ପ୍ରଭୁ ଚରଣ ସ୍ବାଇଁ ଓ ବୀଣାପାଣି ସ୍ବାଇଁଙ୍କ ଛେଳି ବିକ୍ରିକୁ ପାଇଁ ଗଣ୍ଡଗୋଳ ହୋଇଥିବା ନେଇ ଅଭିଯୋଗ ହୋଇଛି । ଗୋଟିଏ ଛେଳି ବିକ୍ରି କରିବା ପାଇଁ ବୀଣାପାଣି ସ୍ବାଇଁ ଛେଳି ବେପାରୀ ସହ ମୁଲଚାଲ କରିଥିଲେ ଏବଂ ଛେଳିକୁ ବିକ୍ରି କରି ନଥିଲେ । କିନ୍ତୁ ବୀଣାପାଣି ସ୍ବାଇଁଙ୍କ ସ୍ବାମୀ ପ୍ରଭୁ ଚରଣ ସ୍ବାଇଁ ଛେଳିକୁ କମ ଦରରେ ବିକ୍ରି କରି ଦେଇଥିଲେ । ଫଳରେ ଗତକାଲି ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଘଟଣାସ୍ଥଳରେ ସ୍ବାମୀ ଉତକ୍ଷିତ ହୋଇ ନିଜ ସ୍ତ୍ରୀ ବୀଣାପାଣିଙ୍କୁ ତଣ୍ଟି ଚିପି ହତ୍ୟା କରି ଦେଇଥିଲେ । ଯାହାକୁ ନେଇ ମୃତକଙ୍କ ଭାଇ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
ତେବେ ବୀଣାପାଣିଙ୍କ ବଡ଼ ଭାଇ ସୁଦର୍ଶନ ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ, ଭଉଣୀ ବୀଣାପାଣିକୁ ୩୦ ବର୍ଷ ତଳେ ପ୍ରଭୁ ଚରଣ ସ୍ବାଇଁଙ୍କୁ ବିବାହ କରିଥଲେ । ସେମାନଙ୍କର ଦୁଇ ଝିଅ ମଧ୍ୟରୁ ବଡ଼ ଝିଅର ମୃତ୍ୟୁ ହୋଇଥିବା ବେଳେ ସାନ ଝିଅର ବିବାହ ସରିଛି । କିନ୍ତୁ ଭଉଣୀ ବୀଣାପାଣିକୁ ଛେଳି ବିକ୍ରିକୁ ନେଇ ଭିଣୋଇ ମାରି ଦେଇଥିବା ଖବର ପାଇ ସେଠାରେ ପହଞ୍ଚିଥିଲେ । ପଡ଼ୋଶୀଙ୍କ ଠାରୁ ଘଟଣା ବାବଦରେ ଶୁଣିଲା ପରେ ଏ ସମ୍ପର୍କରେ ନିଆଳି ଥାନାରେ ଏତଲା ଦେଇଛନ୍ତି । ତେବେ ଗତକାଲିଠାରୁ ପୋଲିସ ମୃତଦେହ ଜଗି ରହିଥିବା ବେଳେ ଅଭିଯୁକ୍ତ ସ୍ବାମୀକୁ ବିଳମ୍ବିତ ରାତିରେ ପୋଲିସ ଗିରଫ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପୋଲିସ ପଠାଇଛି ।
ଇଟିଭି ଭାରତ, ନିଆଳି