କଟକ: ଜିଲ୍ଲାରେ ପୁଣି ସକ୍ରିୟ ହେଲେଣି ଲୁଟେରା । ଗ୍ୟାସ କଟର ଯୋଗେ ୟୁକୋ ବ୍ୟାଙ୍କ ଏଟିଏମ କାଟି ଟଙ୍କା ନେବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ଦୁର୍ବୃତ୍ତ । ସବୁଠାରୁ ବଡ଼ କଥା ହେଉଛି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଲାଗିଥିବା ଏହି ଏଟିଏମ କାଟି ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ଲାଲବାଗ ଥାନା ପୋଲିସ ସିସିଟିଭି ଫୁଟେଜ୍ ସଂଗ୍ରହ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ଗତ ଶନିବାର ଓ ରବିବାର ଛୁଟିଦିନ ଥିବାରୁ ଏହାର ସୁଯୋଗ ନେଇ ଲୁଟେରା ମାନେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ୟୁକୋ ବ୍ୟାଙ୍କ ଏଟିଏମକୁ କାଟି ଟଙ୍କା ଲୁଟ କରିବାକୁ ଚେଷ୍ଟା କରିଥିଲେ । ତେବେ ଏଟିଏମକୁ ଅଧାକାଟି ଥିଲେ ବି ଟଙ୍କା କାଢିବାରେ ବିଫଳ ହୋଇଥିଲେ ।
ଆଜି ସନ୍ଧ୍ୟା ସମୟରେ ଜଣେ ଗ୍ରାହକ ଏଟିଏମକୁ ଅଧାକଟା ଅବସ୍ଥାରେ ଦେଖି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଖବର ପାଇ ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସି ତଦନ୍ତ ପାଇଁ ଲାଲବାଗ ଥାନାରେ ଏତଲା ଦେଇଥିଲେ । ତେବେ ଲାଲବାଗ ଥାନା ପୋଲିସ ଏଟିଏମ ରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ