କଟକ: ଯାଜପୁର ରେଳ ଷ୍ଟେସନରେ ଟ୍ରେନ ଦୁର୍ଘଟଣା । ମାଲବାହୀ ଟ୍ରେନ ତଳେ ଚାପି ହୋଇ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2ଣ ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଛି । ଜଣଙ୍କର ମୁଣ୍ଡରେ ଓ ଅନ୍ୟ ଜଣଙ୍କର ଗୋଡରେ ଗଭୀର ଆଘାତ ଲାଗିଛି । ଦୁଇ ଆହତ ହେଉଛନ୍ତି ଭଦ୍ରକର ଅମର ସାହୁ ଏବଂ କେନ୍ଦୁଝର ଜିଲ୍ଲାର ନବଘନ ବାରିକ । ଗତକାଲି (ବୁଧବାର) ଉଭୟକୁ ଏସସିବି ହସ୍ପିଟାଲ ନିଆଯାଇଥିବା ବେଳେ ଆଶୁ ଚିକିତ୍ସା ବିଭାଗରେ ଚିକିତ୍ସା କରୁଛନ୍ତି ଡାକ୍ତର । ସବୁ ରିପୋର୍ଟ ଆସିବା ପରେ ତାଙ୍କୁ ୱାର୍ଡକୁ ସ୍ଥାନନ୍ତର କରାଯିବ । ବର୍ତ୍ତମାନ ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବା କହିଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ଯାଜପୁରରେ ଘୂର୍ଣ୍ଣିଝଡ଼ ବର୍ଷା ଲାଗି ରହିଥିଲା । ଏହି ସମୟରେ ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ନିକଟରେ କିଛି ଶ୍ରମିକ ରେଳ ଧାରଣାରେ ରହିଥିବା ଏକ ଇଞ୍ଜିନ ବିହୀନ ମାଲବାହୀ ଟ୍ରେନ ତଳେ ଆଶ୍ରୟ ନେଇଥିଲେ । ବର୍ଷା ପବନ ପ୍ରଭାବରେ ହଠାତ ମାଲ ଗାଡ଼ିଟି ୫୦୦ ମିଟର ଗଡି ଯାଇଥିଲା । ଫଳରେ ମାଲବାହୀ ଟ୍ରେନଟି ତଳେ ରହିଥିବା ଶ୍ରମିକ ମାନଙ୍କ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଶ୍ରମିକ ଗୁରୁତର ହେଇପଡିଥିଲେ ।
ଏହା ମଧ୍ୟ ପଢନ୍ତୁ-ମାଲବାହୀ ଟ୍ରେନ୍ ଚଡ଼ି ୬ ଶ୍ରମିକ ମୃତ୍ୟୁ ଘଟଣା; ୫ ଲକ୍ଷ ଅନୁକମ୍ପା ରାଶି ଘୋଷଣା
ଏନେଇ ଖବର ପାଇବା ପରେ ସ୍ଥାନୀୟ ଯୁବକ ମାନେ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ପରେ ତାଙ୍କୁ ଏଏସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ଅନ୍ୟପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ 6 ମୃତକଙ୍କ ପରିବାର ପାଇଁ 5 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣାରେ ଆହତ ୨ ଜଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
କ୍ରମାଗତ ଭାବେ ରାଜ୍ୟରେ ରେଳ ଦୁର୍ଘଟଣା ଘଟି ଚାଲିଛି । କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ବାରମ୍ବାର ଟ୍ରେନ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ବାଲାନଗାରେ ଟ୍ରେନ ଦୁର୍ଘଟଣା ଏପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭିନଥିବା ବେଳେ ବରଗଡ, ବ୍ରହ୍ମପୁର ଓ ଯାଜପୁରରେ ଟ୍ରେନ ଦୁର୍ଘଟଣା ଘଟଣା ସମସ୍ତକୁ ଅବାକ କରିଛି । ଟ୍ରେନରେ ଯାତାୟତ ନେଇ ଯାତ୍ରୀଙ୍କ ମନରେ ଭୟ ଜାତ ହୋଇଛି।
ଇଟିଭି ଭାରତ, କଟକ