କଟକ: ଗିରଫ ହେଲେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରା । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପଞ୍ଚାନନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ପଞ୍ଚାନନଙ୍କ ଅମାପ ସମ୍ପତ୍ତିର ସୁରାକ ପାଇଛି ବିଭାଗ । ଏହି ସମ୍ପତ୍ତି ମଧ୍ୟରେ ଅନେକ ସମ୍ପତ୍ତି ବେନାମୀ ଥିବା ମଧ୍ୟ ଜାଣିବାକୁ ପାଇଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ।
ପଞ୍ଚାନନ ବେହେରାଙ୍କ ରାଜଧାନୀର ବିଭିନ୍ନ ସ୍ଥାନରେ ୩୧ଟି ପ୍ଲଟ ରହିଛି । ସେଲ ଡିଡ୍ ଜାଞ୍ଚ ପରେ ଏହି ପ୍ଲଟ ଗୁଡ଼ିକର ମୂଲ୍ୟ ୨ କୋଟି ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ବଡକଥା ହେଉଛି, ଠାବ ହୋଇଥିବା ୩୧ଟି ପ୍ଲଟ ମଧ୍ୟରୁ ୧୦ଟି ପ୍ଲଟ ବେନାମୀ ବୋଲି ଜଣା ପଡିଛି । ସେହିଭଳି ପଞ୍ଚାନନ ବେହେରା ଓ ତାଙ୍କ ପରିବାର ଲୋକଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ୭୨ ଲକ୍ଷ ଲକ୍ଷ ଟଙ୍କା ଜମା ରହିଛି । ଏହା ବ୍ୟତିତ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି । ତେବେ ନିଜ ପୁଅକୁ ଭୁବନେଶ୍ବରର ଏକ ବେସରକାରୀ ମେଡିକାଲ କଲେଜରେ ପାଠ ପଢାଇବା ପାଇଁ ପଞ୍ଚାନନ ବେହେରା ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.... ଭିଜିଲାନ୍ସ ଜାଲରେ ନୟାଗଡ ଏମଭିଆଇ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢ଼ାଉ
ଏହା ସହିତ ଠାବ ହୋଇଛି ୪ଟି ଗାଡ଼ି । ଆଉ ସେ ମଧ୍ୟ ବେନାମୀ ବୋଲି ସ୍ପଷ୍ଟ କରିଛି ଭିଜିଲାନ୍ସ ବିଭାଗ । ତେବେ ଠାବ ହୋଇଥିବା ଗାଡ଼ି ଗୁଡିକୁ ପଞ୍ଚାନନ ଓ ତାଙ୍କ ପରିବାର ଲୋକେ ବ୍ୟବହାର କରୁଥିଲେ । ହେଲେ ମଧ୍ୟ ଏହି ଗାଡି ଗୁଡ଼ିକର ମାଲିକାନା ପଞ୍ଚାନନ କିମ୍ବା ତାଙ୍କ ପରିବାର ଲୋକଙ୍କ ବଦଳରେ ଭିନ୍ନ ଭିନ୍ନ ଲୋକଙ୍କ ନାଁରେ ରହିଛି । ସେପଟେ ଆଗକୁ ଆହୁରି ଅନେକ ସମ୍ପତ୍ତି ଠାବ ହେବାର ସମ୍ଭାବନା ଥିବା କଥା କହିଛି ଭିଜିଲାନ୍ସ । ଏହାରି ଭିତରେ ଜବତ ହୋଇଥିବା ସମ୍ପତ୍ତି ବାବଦରେ ପଞ୍ଚାନନ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଫଳସ୍ବରୂପ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ପଞ୍ଚାନନ ପାଖରୁ ଜବତ ହୋଇଥିବା ସମ୍ପତ୍ତି ତାଙ୍କ ମୂଳ ଆୟ ଠାରୁ 293 ପ୍ରତିଶତ ଅଧିକ ଓ ନିଜ ସମ୍ପର୍କୀୟ ମାନଙ୍କ ନାଁରେ ସେ ଅନେକ ବେନାମୀ ସମ୍ପତ୍ତି ଠୁଳ କରି ଥିବା ଭିଜିଲାନ୍ସ ଅଫିସର କହିଛନ୍ତି ।
ଇଟିଭି ଭାରତ, କଟକ