କଟକ: ସହରରେ କାର୍ଯ୍ୟକ୍ଷମ ରହିଥିବା ସମସ୍ତ ୭୪ଟି କଲ୍ୟାଣ ମଣ୍ଡପ ଯାଞ୍ଚ କରିବ CMC। ଯାଞ୍ଚ ପରେ ଏନେଇ ରିପୋର୍ଟ ଦାଖଲ କରିବ CMC। ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧, ଏପ୍ରିଲ ୧୯ରେ କଲ୍ୟାଣ ମଣ୍ଡପ ଆସୋସିଏସନ୍ ସଂପାଦକଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ୭୪ଟି ମଣ୍ଡପର ଲାଇସେନ୍ସ ନବୀକରଣ କରାଯାଇଛି।
୭୪ଟି ମଣ୍ଡପକୁ ମିଳିଛି ଏହି ଅସ୍ଥାୟୀ ଲାଇସେନ୍ସ। ହାଇକୋର୍ଟଙ୍କ ୨୦୧୯, ଡିସେମ୍ବର ୨୩ର ନିର୍ଦ୍ଦେଶ ଅନୁସାରେ ସଂଶୋଧିତ ନିୟମାବଳୀ କଲ୍ୟାଣ ମଣ୍ଡପ ଗୁଡିକ ପାଳନ କରୁଛନ୍ତି କି ନାହିଁ ତାହା ସିଏମସି ଯାଞ୍ଚ କରିବ। ପରବର୍ତ୍ତୀ ଶୁଣାଣି ପୂର୍ବରୁ କଲ୍ୟାଣ ମଣ୍ଡପ ଯାଞ୍ଚ ରିପୋର୍ଟ ସହିତ ସତ୍ୟପାଠ ସିଏମସି ଦାଖଲ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ସିଏମସି ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଇ.ଭେଙ୍କଟ ରାଓଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮କୁ ଧାର୍ଯ୍ୟ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କଟକ ସହରରେ ଚାଲିଥିବା କଲ୍ୟାଣ ମଣ୍ଡପ ଗୁଡିକ ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ ନିୟମାବଳୀ ରହିଛି।
ଏନେଇ ହାଇକୋର୍ଟଙ୍କ ମଧ୍ୟ ନିର୍ଦ୍ଦେଶ ରହିଛି। କିନ୍ତୁ ବହୁ କଲ୍ୟାଣ ମଣ୍ଡପ ନିୟମ ପାଳନ ନ କରି ଚାଲୁଛି। ଆଉ କେତେକ ବିନା ଲାଇସେନ୍ସରେ ମଧ୍ୟ ଚାଲିଛି ବୋଲି ଅଭିଯୋଗ ରହିଛି। କେତେକ କଲ୍ୟାଣ ମଣ୍ଡପର ଲାଇସେନ୍ସ ବାତିଲ କରାଯାଇଥିବା ବେଳେ ସିଏମସି ସେମାନଙ୍କୁ ପୁନଃଯାଞ୍ଚ ବେଳେ ଲାଇସେନ୍ସ ପ୍ରଦାନ କରିଥିବା ଅଭିଯୋଗ ମଧ୍ୟ ରହିଛି। ଏଭଳି ପ୍ରସଙ୍ଗ ନେଇ ଆମିକସ୍ କ୍ୟୁରୀ ପ୍ରଶ୍ନ ଉଠାଇବା ପରେ ହାଇକୋର୍ଟ ସିଏମସି ନିକଟରୁ ଜବାବ ତଲବ କରିଥିଲେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ